ସ୍ପନ୍ଦନ ଆୟୋଜିତ ୩୬ତମ ଜାତୀୟ ନାଟ୍ୟ ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ସ୍ପନ୍ଦନ, ରାଉରକେଲା ଡିସେମ୍ବର ୨୦ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ସିଭିକ ସେଣ୍ଟରଠାରେ ଆୟୋଜନ କରିବାକୁ ଯାଉଛି ୩୬ତମ ସର୍ବ ଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ ୨୦୨୫ । ବିଭିନ୍ନ ଭାଷାଭାଷୀ ଲୋକମାନେ ବସବାସ କରୁଥିବା ତଥା ମିନି ଇଣ୍ଡିଆ କୁହାଯାଉଥିବା ଇସ୍ପାତ ନଗରୀ ରାଉରକେଲାଠାରେ ଦୀର୍ଘ ଆଠ ଦିନ ବ୍ୟାପୀ ଆୟୋଜିତ ହେବାକୁଥିବା ଏହି ଜାତୀୟ ମହାପର୍ବର ଉଦଘାଟନ ଦିବସ ଡିସେମ୍ବର ୨୦ ତାରିଖ ସଂଧ୍ୟାରେ କଳା, ସାହିତ୍ୟ ଓ ସଂସ୍କୃତିର ଅନୁଷ୍ଠାନ ସ୍ପନ୍ଦନ, ରାଉରକେଲା ମଂଚସ୍ଥ କରିବ ଓଡିଆ ନାଟକ “ଜହର ଜହ୍ନ” । ଡିସେମ୍ବର ୨୧ରେ ଭୁବନେଶ୍ୱରସ୍ଥିତ “ବିଦ୍ୟାକନକ ସୃଜନାନୁଷ୍ଠାନ ପରିବେଷଣ କରିବ ଅନ୍ୟ ଏକ ଓଡିଆ ନାଟକ “କୁହୁଡି” । ମହୋତ୍ସବର ୩ୟ ଦିବସ ତଥା ୨୨ଡିସେମ୍ବର ସଂଧ୍ୟାରେ ମଂଚନ ହେବ ଭିନ୍ନ ସ୍ୱାଦର ପୁଣି ଏକ ଓଡିଆ ନାଟକ “ଏବଂ କିଏ” ଯାହାକୁ ଭୁବନେଶ୍ୱରର “ବାଗଦେବୀ ଲିଟେରେଚର ଟ୍ରଷ୍ଟ”ର କଳାକାରଗଣ ମଞ୍ଚସ୍ଥ କରିବେ । ୪ର୍ଥ ସଂଧ୍ୟା ଡିସେମ୍ବର ୨୩ରେ ବାରାଣାସୀରୁ ଆସିଥିବା “ମଂଚଦୂତମ୍” ନାଟ୍ୟାନୁଷ୍ଠାନ ଉପସ୍ଥାପନ କରିବ ହିନ୍ଦୀ ନାଟକ “ମଧ୍ୟାନ୍ତର” ଏବଂ ୨୪ତାରିଖ ସଂଧ୍ୟାରେ ବଂଗଳା ଭାଷାର ନାଟକ ଉତ୍ତମ ପୁରୁଷ ପରିବେଷଣ କରିବ ପଶ୍ଚିମ ବଂଗର ଗୋବରଡଂଗା ଶିଳ୍ପାୟନ ନାଟ୍ୟ ସଂସ୍ଥା । ଡିସେମ୍ବର ୨୫ ତାରିଖ ସଂଧ୍ୟାରେ ଆସାମର ସିରସା ଅନଷ୍ଠାନ ମଂଚସ୍ଥ କରିବ ଆସାମି ଭାଷାର ନାଟକ “ବିରଳ ତପସ୍ୱୀ” । ଡିସେମ୍ବର ୨୬ ତାରିଖରେ ମଂଚସ୍ଥ ହେବ ହିନ୍ଦୀ ଭାଷାର ବହୁ ଚର୍ଚ୍ଚିତ ନାଟକ “ସମସାନ ଏକ ମହାପର୍ବ” ଯାହା ପରିବେଷଣ କରିବେ ସୁଦୂର ଗୋଆଲିୟରର ଆଇ ଟି ଏମ୍ ପରଫରମିଂଗ ଆର୍ଟସ କ୍ଲବ । ଏହି ମହୋତ୍ସବର ଉଦଯାପନୀ ସଂଧ୍ୟାରେ ଭାରତବର୍ଷର ବିଭିନ୍ନ ଅଂଚଳର ଲୋକନୃତ୍ୟ ପ୍ରତିଯୋଗିତା ଏବଂ ପରେ ପରେ ନାଟକ କ୍ଷେତ୍ରରେ ପ୍ରତିଭାମାନଙ୍କ ପାଇଁ ସମ୍ବର୍ଦ୍ଧନା ପର୍ବ ଓ ପୁରସ୍କାର ଉତ୍ସବ । ଦେୟମୁକ୍ତ ଏହି ମହତ୍ତ୍ୱରେ କଳାନୁରାଗୀ ରାଉରକେଲା ବାସୀଙ୍କୁ ଯୋଗଦେଇ ନାଟକ ଓ ନୃତ୍ୟ ଉପଭୋଗ କରିବାକୁ ସ୍ପନ୍ଦନ ପରିବାର ତରଫରୁ ଅନୁରୋଧ କରାଯାଉଛି ।

Leave A Reply

Your email address will not be published.