୪୮ ଘଣ୍ଟାରେ ୬ ଜଣ ଶିଶୁ ସମେତ ୧୯ ଜଣ ଦାଦନ ଶ୍ରମିକ ଉଦ୍ଧାର, ଧରାପଡ଼ିଲେ ମହିଳା ଶ୍ରମିକ ସର୍ଦ୍ଦାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ନାଁ ନେଉନାହିଁ । ୪୮ ଘଣ୍ଟା ଭିତରେ ୧୯ ଜଣ ଦାଦନ ଶ୍ରମିକ ଖପ୍ରାଖୋଲ ପୋଲିସ ଦ୍ୱାରା ଉଦ୍ଧାର ହୋଇଥିବା ଜଣାପଡିଛି । ଗତ ଶୁକ୍ରବାର ୨୭ ତାରିଖ ଦିନ ତିନି ଜଣ ଶିଶୁ ସମେତ ୯ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ବେଳେ ପୁଣି ରବିବାର ୧୦ ଜଣ ଦାଦନ ଶ୍ରମିକଙ୍କୁ ଖପ୍ରାଖୋଲ ପୋଲିସ ଉଦ୍ଧାର କରିବାରେ ସକ୍ଷମ ହୋଇଅଛି । ଏହି ମାମଲାରେ ଜଣେ ମହିଳା ଶ୍ରମିକ ସର୍ଦ୍ଦାରଙ୍କୁ ଗିରଫ୍‌ କରାଯାଇଥିବା ସୂଚନା ମିଳିଛି । ଖପ୍ରାଖୋଲ ଅଞ୍ଚଳରୁ ଦାଦନ ଚାଲାଣ ଏକ ନିୟମିତ ପ୍ରକ୍ରିୟା ହୋଇଥିବା ବେଳେ ନୂଆଁଖାଇ ପରେ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଦାଦନ ଖଟିବାକୁ ଦଲାଲଙ୍କ ପ୍ରରୋଚନାରେ ଲୋକେ ବାହାର ରାଜ୍ୟକୁ ଯାଇଥାନ୍ତି । ସୂଚନା ଅନୁସାରେ ଖପ୍ରାଖୋଲ ପୋଲିସ ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଦୀନବନ୍ଧୁ ପେଟ୍ରୋଲ ପମ୍ପ ନିକଟରେ ଗୋଟିଏ ବୋଲେରୋ ଗାଡି ନଂ. ଓଡି ୧୭-୮୬୨୯ ରେ କିଛି ଲୋକ ଯାଉଥିବା ଦେଖିବାକୁ ପାଇଥିଲେ । ଗାଡି ଅଟକାଇ ପଚରାଉଚରା କରିବାରୁ ଛଅ ଜଣ ବରଗଡ଼ ଜିଲ୍ଲା ଗାଇସିଲେଟର ଏବଂ ଚାରିଜଣ ସଦର ବରଗଡରୁ ହୋଇଥିବା କହିଥିଲେ । ଶ୍ରମିକଙ୍କ ମଧ୍ୟରେ ୩ ଜଣ ପୁରୁଷ, ୪ ଜଣ ମହିଳା ଥିବାବେଳେ ୩ ଜଣ ଶିଶୁ ଥିବା ଜଣାପଡିଛି । ଦାଦନ ଶ୍ରମିକ ମାନଙ୍କୁ ପାଟଣାଗଡ଼ରେ ରହୁଥିବା ମହିଳା ଦାଦନ ସର୍ଦାର ସୁଶୀଳା ବାଗ(୪୧) ପ୍ରଥମେ ଲାଠୋର ଏବଂ ପରେ ଟ୍ରେନ ଯୋଗେ ତେଲେଙ୍ଗାନା ରାଜ୍ୟ ୱାରଙ୍ଗଲ ସିଟି ଅନ୍ତର୍ଗତ କାଜୁପେଟ୍‌କୁ ବେଆଇନ ଭାବେ ଚାଲାଣ କରୁଥିବା ପୋଲିସ ସୂଚନା ଦେଇଛି । ପୁଲିସ ସମସ୍ତ ଶ୍ରମିକଙ୍କୁ ଥାନାକୁ ଆଣି ସେମାନଙ୍କୁ ପଚରା ଉଚରା କରିବା ପରେ ସେମାନଙ୍କ ନିଜ ନିଜ ଗାଁକୁ ପଠେଇ ଦିଆଯାଇଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୨୦୫/୨୦୨୩ ରେ ଭାରତୀୟ ପେନାଲ୍‌ କୋଡ୍‌ ଧାରା ୩୭୦/୩୭୪/୪୨୦/ ୨୫/୧୨୦ବି ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଅଧିନିୟମ ଅନୁଯାୟୀ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ଏନେଇ ଅଧିକ ତଦନ୍ତ ଚାଲିଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.