ପୀଡିତାଙ୍କୁ ଅନୁକମ୍ପା ରାଶି ପ୍ରଦାନ ପାଇଁ ମହିଳା ସଂଗଠନର ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାରେ ଦଳିତଙ୍କ ପ୍ରତି ନିର୍ଯ୍ୟାତନା ବଢୁଥିବା ବେଳେ ମହିଳାମାନେ ଗଣ ଦୁଷ୍କର୍ମର ଶିକାର ହେଉଛନ୍ତି । ମୁରିବାହାଲ ବ୍ଲକର ଯୁଗିରଥା ଗ୍ରାମର ଏକ ଦଳିତ ମାନସିକ ଅନଗ୍ରସର ନାବାଳିକା ଦୁଷ୍କର୍ମ ଶିକାର ହେବା ପରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଏହି ପରିବାରରେ ପ୍ରାୟ ସମସ୍ତେ ବିକଳାଙ୍ଗ, ଅପାରଗ । ଘଟଣାଟି ଅମାନବୀୟତାର ସୀମା ଟପିଯାଇଛି । ଘଟଣାଟିକୁ ଦୀର୍ଘ ଦିନ ହେଲେ ମଧ୍ୟ ପୀଡିତାଙ୍କୁ ଆଜି ପର୍ଯ୍ୟନ୍ତ ଅନୁକମ୍ପା ରାଶି ପ୍ରଦାନ କରାଯାଇ ନାହିଁ । ନିୟମାନୁସାରେ ପୀଡିତା ମାନସିକ ଅନଗ୍ରସର ଥିବାରୁ ମାସିକ ପାଂଚ ହଜାର ଟଙ୍କା ପାଇବାକୁ ଯୋଗ୍ୟ । ଏହା ମଧ୍ୟ ପ୍ରଦାନ କରାଯାଇ ନାହିଁ । ପ୍ରକାଶ ଥାଉକି ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟରେ ପୀଡିତ /ପୀଡିତାଙ୍କୁ ତାଙ୍କ ଅନୁକମ୍ପା ରାଶି ପ୍ରଦାନ କରିବାରେ ଅହେତୁକ ବିଳମ୍ବ କରାଯାଉଛି । ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟରେ ପୀଡିତାଙ୍କ ପ୍ରତି ହେଉଥିବା ଅବହେଳା ଏବଂ ଯୁଗିରଥା ପୀଡିତାଙ୍କ ପାଇଁ ପଶ୍ଚିମ ଓଡିଶା ମହିଳା ସଂଗଠନ ବଲାଙ୍ଗିର ଜିଲ୍ଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ଅତିରିକ୍ତ ଜିଲ୍ଲାପାଳ ଏବଂ ଡେପୁଟି କଲେକ୍ଟରଙ୍କୁ ଦାବୀପତ୍ର ପ୍ରଦାନ କରିଥିଲା । ଜିଲ୍ଲାରେ ମହିଳାଙ୍କ ଅଧିକାର ପାଇଁ ଆଗକୁ ଜୋରଦାର ଲଢେଇ ହେବ ବୋଲି ମହିଳା ସଂଗଠନ ତରଫରୁ ପ୍ରକାଶ କରାଯାଇଛି ।

Leave A Reply

Your email address will not be published.