ବରଗଡ଼, (ନିରୋଜ କୁମାର ପାଣୀ) : ଯେତେ ଦିନ ପର୍ଯ୍ୟନ୍ତ ନାରୀ ସ୍ଵୟଂ ନିଜକୁ ନିଜେ ନ ଚିହ୍ନିଛି ଏବଂ ଜଣେ ନାରୀ ଅନ୍ୟ ନାରୀ ପ୍ରତି ସମ୍ମାନବୋଧ ନରଖିଛି ସେତେ ଦିନ ପର୍ଯ୍ୟନ୍ତ ନାରୀ ସଶକ୍ତ ହୋଇ ପାରିବ ନାହିଁ । ବରଗଡ଼ ମହିଳା ସମିତି ପକ୍ଷରୁ ଆଜି ପାଳିତ ଆନ୍ତର୍ଜାତିୟ ମହିଳା ଦିବସ ସମାରୋହରେ ବକ୍ତାଗଣ ଉପୋରୋକ୍ତ ମତ ପୋଷଣ କରିଥିଲେ । ସମିତିର ସଭାନେତ୍ରୀ ହରର୍ଜିନ୍ଦର୍ କୌରଙ୍କ ସଭାପତିତ୍ୱ ଏବଂ ମନ୍ଦାକିନୀ ପତିଙ୍କ ସଞ୍ଚାଳନରେ ମହିଳା ସମିତି ଭବନ ଠାରେ ଅନୁଷ୍ଠିତ ଏହି ସମାରୋହରେ ବରଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଅବସ୍ଥାପିତ ଡେପୁଟି କଲେକ୍ଟର ଇପସିତା ମିଶ୍ର ମୁଖ୍ୟ ଅତିଥି ଏବଂ ସିଡବ୍ଲୁସି ସଦସ୍ୟା ରାଧା ଅଗ୍ରୱାଲ ମୁଖ୍ୟ ବକ୍ତା ଭାବରେ ଅଂଶଗ୍ରହଣ କରିଥିଲେ । ଦୁହି କୁଳର ହିତା ବୋଲି ଝିଅଙ୍କୁ କହୁଥିବା ସମାଜ ପୁଅଙ୍କ ପ୍ରତି ମଧ୍ୟ ସମାନ ଦାୟୀତ୍ୱ ବୋଧତା ରଖିବା ଏବଂ ମୁଁ ରୁ ଆମେ ସ୍ତରକୁ ମହିଳା ମାନଙ୍କୁ ନିଜକୁ ନିଜେ ଉତ୍ତୀର୍ଣ୍ଣ କରିବାର ଆବଶ୍ୟକତା ଉପଲବ୍ଧିରେ ପରିଣତ ହେଲେ ସାରା ବିଶ୍ୱ ପରିବର୍ତ୍ତିତ ହେଵ ବୋଲି ମୁଖ୍ୟବକ୍ତା ରାଧା ଅଗ୍ରୱାଲ ମତପ୍ରକାଶ କରିଥିଲେ । ଲିଙ୍ଗଗତ ସମାନତା ଆମର ଏପରି ଏକ ଲକ୍ଷ୍ୟ ଯେଉଁଠି ଆମେ ଆଗକୁ ବଢ଼ୁଛୁ ସତ ତଥାପି ଅନେକ ସମସ୍ୟା ଓ ପ୍ରତିବନ୍ଧକ ରହିଛି । ଏହି ଅଭିଯାନ ଆରମ୍ଭ ହୋଇଯାଇଛି ଏବଂ ଏହା ବାସ୍ତବ ହେବା ପାଇଁ ସମସ୍ତଙ୍କ ଅବଦାନ ଦରକାର । ଏହି ସମାନତା କେବଳ ଏକ ଅଧିକାର ନୁହେଁ, ଏହା ଏକ ଆବଶ୍ୟକତା ଏବଂ ନାରୀର ସୁରକ୍ଷାର ଦାୟୀତ୍ୱ ସ୍ଵୟଂ ନାରୀର ବୋଲି ମୁଖ୍ୟ ଅତିଥି ଇପସିତା ମିଶ୍ର ମତ ପୋଷଣ କରିଥିଲେ । ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମାଜସେବୀ ଗୀତା ମିଶ୍ରଙ୍କୁ ସମିତି ପକ୍ଷରୁ ପ୍ରଶଂସା ପତ୍ର, ଉପାୟନ ଓ ସ୍ମାରକୀ ଦେଇ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା । ବରିଷ୍ଠ ସଦସ୍ୟା ମମତା ମିଶ୍ର ମାନପତ୍ର ପାଠ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁନୀତା କର, ସସ୍ମିତା ପଟ୍ଟନାୟକ, ଭାରତୀ ମିଶ୍ର, ସଂଗୀତା ପଣ୍ଡା, ଅନିମା ମିଶ୍ର, ଉପଦେଷ୍ଟା ପ୍ରିତମ ସିଂ ଓ ପ୍ରସନ୍ନ ମିଶ୍ର ପ୍ରମୁଖ ଦିବସର ମହତ୍ତ୍ଵ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ସମିତିର ସଭ୍ୟାଗଣ ସୁନୀତା, ନିବେଦିତା, ପ୍ରଣତି, ସସ୍ମିତା, ଯଶସ୍ମିତା, ସୁଜାତା ପ୍ରମୁଖ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ । ସମ୍ପାଦିକା ଇନ୍ଦ୍ରାଣୀ ଶତପଥୀ ବାର୍ଷିକ ବିବରଣୀ ପାଠ ଏବଂ ଶେଷରେ ରାଧାରାଣୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗୀତାଞ୍ଜଳି, ଜୟନ୍ତୀ ବାସନ୍ତୀ, ସୌଭାଗ୍ୟ ଲକ୍ଷ୍ମୀ, ରାଧାରାଣୀ, ଜୟଗୀତା ପ୍ରମୁଖ ସହଯୋଗ କରିଥିଲେ ।
Prev Post