ଛତ୍ରପୁର ବ୍ଳକ୍ ଗୋଲାପଲ୍ଲୀ ଗାଁରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ସରକାରଙ୍କ ଶ୍ରମ ଓ କାର୍ମିକ ମନ୍ତ୍ରଣାଳୟ ଅଧିନସ୍ଥ ଦତ୍ତପନ୍ତ ଥେଙ୍ଗାଡି ଜାତୀୟ ଶ୍ରମିକ ଶିକ୍ଷା ଏବଂ ବିକାଶ ବୋର୍ଡ ସୌଜନ୍ୟରେ ଛତ୍ରପୁରର ଯଶୋଦା ଫାଉଣ୍ଡେସନ ସଂଗଠନ ପକ୍ଷରୁ ଛତ୍ରପୁର ବ୍ଳକର ଭିକାରିପଲ୍ଲୀ ଗ୍ରାମପଞ୍ଚାୟତର ଗୋଲାପଲ୍ଲୀ ଗ୍ରାମର କସ୍ତୁରବା ବୃଦ୍ଧାଶ୍ରମ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଯଶୋଦା ଫାଉଣ୍ଡେସନର ମୁଖ୍ୟ ସାଗରିକା ପଣ୍ଡାଙ୍କ ପୌରାହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓକେସିଏଲର ଗଞ୍ଜାମ ଜିଲ୍ଲାର ମୁଖ୍ୟ ଏସ. ରେଖା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶ୍ରମ ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ସରୋଜ ବେହେରା, ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅକ୍ଷୟ ନିପାନୀ, ଛତ୍ରପୁର ରୋଟାରୀ କ୍ଲବ ସମ୍ପାଦିକା ସ୍ୱାଗତିକା ସାମନ୍ତରାୟ, ପୂର୍ବତନ ବିଧାୟକ ଅଶୋକ ଚୌଧୂରୀ, ଶିକ୍ଷାବିତ କୃପାସିନ୍ଧୁ ପଣ୍ଡା, ଗୋପାଳପୁର ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପିକା ଡକ୍ଟର ରଞ୍ଜିତା ବେହେରା, ନବନିର୍ବାଚିତ ସମିତିସଭ୍ୟା ମମତା ସୁବୁଦ୍ଧି ଓ ପୂର୍ବତନ ସରପଞ୍ଚ ମଥୁରା ସୁବୁଦ୍ଧି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଦେଶର ସାର୍ବଭୌମ ଅଗ୍ରଗତି ପାଇଁ ସୈନିକ, କୃଷକ ଓ ବୈଜ୍ଞାନିକଙ୍କ ସହ ନାରୀଶକ୍ତିର ଗୁରୁତ୍ବ ଦୃଷ୍ଟିରୁ ଜୟ ଜବାନ, ଜୟ କିଷାନ, ଜୟ ବିଜ୍ଞାନ ସହ ଜୟ ଜନନୀ ସ୍ଲୋଗାନ ବର୍ତ୍ତମାନର ଆବଶ୍ୟକତା ବୋଲି ବକ୍ତାମାନେ ଆହ୍ବାନ ଦେଇଛନ୍ତି । ବୋର୍ଡର ଆଞ୍ଚଳିକ ଶିକ୍ଷାଧିକାରୀ ସ୍ନେହ ରଞ୍ଜନ ଗୋଚ୍ଛାୟତ, ସତ୍ୟ ପ୍ରସାଦ ଲେଙ୍କା, ପେଡ ଅନୁଷ୍ଠାନର ସମ୍ପାଦକ ଧିରେନ୍ଦ୍ର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରକାର ଫୁଲ ଚାଷ କରି ରାଜ୍ୟ ଓ ଜାତୀୟସ୍ତରରେ ସୁନାମ ଅର୍ଜନ କରିଥିବା ନୂଆପଲ୍ଲୀ ଗ୍ରାମର ମିଶନ ଶକ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଯଶୋଦା ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ମହିଳାମାନଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.