କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଡିମିରିମୁଣ୍ଡା ଛକରୁ ଡିମୁରିମୁଣ୍ଡା ଗାଁକୁ ଯିବା ନିଛାଟିଆ ଜଙ୍ଗଲ ରାସ୍ତା କଡ଼ରୁ ପୋଲିସ ରବିବାର ସକାଳୁ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି । ମୃତ ମହିଳା ଜଣକ ହେଲେ ଡିମିରିମୁଣ୍ଡା ଗ୍ରାମର ବନିତା ମହାକୁଳ । ମହିଳା ଜଣକ ପରିବା ବ୍ୟବସାୟ କରନ୍ତି । ସେ କୁଚିଣ୍ଡା ଦୈନିକ ବଜାରରୁ ପରିବା କିଣି ଝାରସୁଗୁଡ଼ାରେ ବିକ୍ରି କରି ଶନିବାର ରାତିରେ ଘରକୁ ଫେରୁଥିଲେ । ତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଛି । ସମ୍ବଲପୁରରୁ ସାଇଣ୍ଟିଫକ୍ ଟିମ୍ ସହ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚିଛି । କୁଚିଣ୍ଡା ଏସ୍ଡିପିଓ ପ୍ରଦୀପ କୁମାର ଦାସ ଓ ଆଇଆଇସି ବାମଦେବ ଶଙ୍ଖୁଆଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ ଏନେଇ କୁଚିଣ୍ଡା ଥାନାରେ ଏକ ମାମଲା ରୁଜୁ କରିଛି ।
