ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ ସିଭିକ୍ ସେଣ୍ଟର ପ୍ରାଙ୍ଗଣରେ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଏବଂ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ସ୍ମୃତି ତର୍ପଣ ସଭା ଅନୁଷ୍ଠିତ ହେଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରେଣ୍ୟ ପୂଜାସ୍ପଦ ଅତିଥି ଭାବେ ହମିରପୁର ଉନ୍ନୟନ ପରିଷଦର ସଭାପତି ପ୍ରାକ୍ତନ ପୁଲିସ ଅଧିକାରୀ ଡ଼ଃ. ସୁମନ ଦତ୍ତ, କଲଚରାଲ ଏକାଡେମୀର ସଭାପତି ପଶୁପତିନାଥ ଚାଟାର୍ଜୀ, ଇସ୍ପାତ ସାହିତ୍ୟ ସଂସଦର ସଭାପତି ବ୍ରଜେନ୍ଦ୍ର ଦାଶ ପ୍ରମୁଖ ନିମନ୍ତ୍ରିତ ଅତିଥି ରୂପେ ଯୋଗଦେଇ ଗାନ୍ଧିଜୀଙ୍କର ସଂଗ୍ରାମର ଧାରା, ଭାରତୀୟ ସମାଜର ଚେତନାକୁ ଜାଗ୍ରତ କରିବା ପାଇଁ ତାଙ୍କର ସଂସ୍କାର ପ୍ରୟାସ, ରାଜନୈତିକ ମୁକ୍ତି ପାଇଁ ତାଙ୍କର ଯୋଜନାବଦ୍ଧ ଅହିଂସା ଅସହଯୋଗ ଆନ୍ଦୋଳନ, ବିଶ୍ୱ ମାନବିକତାର ମୁକ୍ତି ପାଇଁ ତାଙ୍କର କର୍ମଯୋଜନାକୁ ଅତ୍ୟନ୍ତ ପ୍ରାଞ୍ଜଳ ଭାବରେ ଉପସ୍ଥାପନ କରିଥିଲେ । ଆବାହକ ଶ୍ରୀ ମହାପାତ୍ର ପ୍ରାରମ୍ଭିକ ସ୍ୱାଗତ ଅଭିଭାଷଣରେ ଚିର ଦାରିଦ୍ର୍ୟ ଗ୍ରସ୍ତ, ଧର୍ମାନ୍ଧ, କୁସଂସ୍କାର ଗ୍ରସ୍ତ ଅନ୍ଧବିଶ୍ୱାସୀ ଭାରତୀୟଙ୍କ ମାନସିକ ଚେତନାକୁ ସର୍ବପ୍ରଥମେ ବଦଳାଇ, ତା’ପରେ ସେହି ମାନଙ୍କୁ ନେଇ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ । ସଭାପତି ଶ୍ରୀ ପତି ତାଙ୍କର ସଭାପତୀୟ ଅଭିଭାଷଣରେ ଏକ ବିଭେଦ ଗ୍ରସ୍ତ, ସହିଷ୍ଣୁ ନିର୍ବେଦ ଏବଂ ନିଶ୍ଚେଷ୍ଟ ଜାତିକୁ ମହାତ୍ମା ଗାନ୍ଧୀ ଅଭିନବ ଉପାୟ ଏବଂ ବିଶ୍ୱକୁ ଚକିତ କଲା ଭଳି ଶୃଙ୍ଖଳିତ କାର୍ଯ୍ୟପନ୍ଥା ଗ୍ରହଣ କରି କିପରି ସମଗ୍ର ଭାରତୀୟ ସମାଜକୁ ଭାରତୀୟ ମୁକ୍ତି ଯୁଦ୍ଧର ନିରସ୍ତ୍ର ସୈନିକ କରିଥିଲେ, ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସ୍ମୃତି ତର୍ପଣ ଓ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବୁଦ୍ଧିଜୀବୀ, ସାହିତ୍ୟିକଙ୍କ ସମେତ କାଶୀନାଥ ନନ୍ଦୀ, ଚନ୍ଦ୍ରଶେଖର ପାଇକରାୟ, ଦେବେନ୍ଦ୍ର ମହାରଣା, ସୁଶାନ୍ତ କୁମାର ନାୟକ, ପ୍ରଫୁଲ୍ଲ ସାମଲ, ପ୍ରବୀର କୁମାର ଦୁବେ, ରଞ୍ଜନ ସାମଲ ଏବଂ ସସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରିଶେଷରେ ଭଜକୃଷ୍ଣ ସାରସ୍ଵତ ସ୍ମୃତି ସଂସଦର ପ୍ରତିଷ୍ଠାତା ଅଧ୍ୟକ୍ଷ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post