ପଂଚାୟତ ନିର୍ବାଚନରେ ପ୍ରାର୍ଥୀ ମାନେ ଶିକ୍ଷା ଅଧିକାର ଆଇନ ଶତ ପ୍ରତିଶତ କାର୍ଯ୍ୟକାରୀ କରିବା ସହ ଶିକ୍ଷାର ବିକାଶ ନେଇ ସର୍ବସାଧାରଣରେ ଶପଥପତ୍ର ପ୍ରଦାନ କରନ୍ତୁ : ଓଡିଶା ଅଭିଭାବକ ମହାସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ସାମ୍ବାଦିକ ଭବନ ଠାରେ ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ବଲାଙ୍ଗିର ଅଭିଭାବକ ମହାସଂଘର ଆବାହକ ଚକ୍ରପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଅଭିବାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ, ଶିକ୍ଷାର ବିକାଶ ତଥା ଶିକ୍ଷା ଜନିତ ସମସ୍ୟା ସମାଧାନ କ୍ଷେତ୍ରରେ ଓଡିଶା ଅଭିଭାବକ ମହାସଂଘ ସର୍ବଦା କାର୍ଯ୍ୟରତ । ଓଡିଶାର ନବେ ପ୍ରତିଶତ ଜନସାଧାରଣ ଗ୍ରାମାଞ୍ଚଳରେ ବସବାସ କରନ୍ତି । ସେମାନେ ଆଗାମୀ ପଂଚାୟତ ନିର୍ବାଚନରେ ସେମାନଙ୍କର ପ୍ରତିନିଧି ନିର୍ବାଚିତ କରିବେ । ଶିକ୍ଷା ବିନା ପ୍ରଗତି ଅସମ୍ଭବ । ଗ୍ରାମାଞ୍ଚଳରେ ସବୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଉପଲବ୍ଧ ସହିତ ଶିକ୍ଷାର ବିକାଶ ବିନା ସବୁ ବିକାଶ ମୂଳକ କାର୍ଯ୍ୟକ୍ରମ ନିରର୍ଥକ । ଓଡିଶା ଅଭିଭାବକ ଏହି କ୍ରମରେ ସମସ୍ତ ପ୍ରାର୍ଥୀ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମର ସଠିକ ରୂପାୟନ ପାଇଁ ଏକ ସର୍ବସାଧାରଣ ଶପଥପତ୍ର ଜନସାଧାରଣଙ୍କୁ ପ୍ରଦାନ କରିବାକୁ ସମସ୍ତ ରାଜନୈତିକ ଦଳ ତଥା ପଂଚାୟତ ନିର୍ବାଚନ ଲଢ଼ୁଥିବା ସମସ୍ତ ପ୍ରାର୍ଥୀଙ୍କୁ ନିବେଦନ କରିଛି । ଯେଉଁ ପ୍ରାର୍ଥୀମାନେ ଏହାକୁ ପାଳନ କରିବେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ସମସ୍ତ ଅଭିଭାବକ ଭୋଟ ଦେବେ ବୋଲି ମହାସଂଘ ଜନସାଧାରଣଙ୍କ ନିକଟରେ ଅପିଲ କରିଛି । ଏଥିପାଇଁ ମହାସଂଘ ବିଭିନ୍ନ ରାଜନୈତିକ ଦଳର ମୁଖିଆଙ୍କୁ ଚିଠି ଦେଇ ତଥା ସାକ୍ଷାତ କରି ଉପରୋକ୍ତ ଶପଥ ପତ୍ର ପ୍ରଦାନ ପାଇଁ ନିବେଦନ କରିଅଛୁ । ୧୯୯୨ ମସିହାରେ ୭୩ତମ ସମ୍ବିଧାନ ସଂଶୋଧନ ଅନୁସାରେ ୧୧ ଧାରା ଅନୁସାରେ ୨୯ଟି ବିଭାଗ ପଂଚାୟତକୁ ହସ୍ତାନ୍ତର କରାଯାଇଛି । ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ମାନେ ସେମାନଙ୍କ ଦାୟିତ୍ୱ ନେବାପାଇଁ ଚାହୁଁଥିଲେ ମଧ୍ୟ ସରକାରୀ ଅବହେଳା ପାଇଁ ଏହା ଲାଗୁ ହୋଇପାରି ନାହିଁ । ଓଡ଼ିଶାରେ ପ୍ରାୟ ୮୭୫୦ ସ୍କୁଲ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ବନ୍ଦ ହୋଇଛି, ବଲାଙ୍ଗିର ଜିଲ୍ଲାରେ ପ୍ରାୟ ୨୫୪ ଗୋଟି ସ୍କୁଲ ଗତ ବର୍ଷ ସମ୍ପୂର୍ଣ ବନ୍ଦ ହୋଇଛି, ସେହି ଅଭିଭାବକ ମାନେ ଦାବି କରୁଛନ୍ତି ଯେ ଯେଉଁ ସରପଞ୍ଚ, ଜ଼ିଲ୍ଲାପରିଷଦ, ସମିତି ସଭ୍ୟ ଏହି ବନ୍ଦ ସ୍କୁଲ ଖୋଲିବ ଅଭିଭାବକ ମାନେ ତାଙ୍କୁ ସମର୍ଥନ କରିବେ । ତାସହ ଜିଲ୍ଲାରେ ୨୫% ବେସରକାରୀ ସ୍କୁଲରେ ମାଗଣା ନାମ ଲେଖା, ଜିଲ୍ଲାରେ ପାଠପଢା ଛାଡିଥିବା ଦାଦନ ଯାଇଥିବା ପିଲାମାନଙ୍କୁ ପୁଣି ଫେରାଇ ଆଣି ପଢେଇବା, ଅଭିଭାବକ ଓ ପିଲାଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ବର୍ଷକୁ ଦୁଇ ଥର କରି ଆବଶ୍ୟକତା ଚିକତ୍ସା ସେମାନଙ୍କୁ ଯୋଗେଇବା ସହ ବହି ଓଜନ କମେଇବା ପାଇଁ NCERT ବହି ପ୍ରଚଳନ କରିବା ଆଦି ୫ ଗୋଟି ବିଷୟରେ ପବ୍ଲିକ ଶପଥନାମା ଦେବାପାଇଁ ସବୁ ଦଳର ନେତାଙ୍କୁ ଆହ୍ୱାନ ଦେଇଛନ୍ତି । ଏହି କ୍ରମରେ ରାଜ୍ୟରେ ସମସ୍ତ ଜିଲ୍ଲା, ବ୍ଲକ ସ୍ତରରେ ମଧ୍ୟ ମହାସଂଘର ପ୍ରତିନିଧି ମାନେ ରାଜନୈତିକ ଦଳର ଜିଲ୍ଲା ସଭାପତି, ବ୍ଲକ, ସଭାପତି ମାନଙ୍କୁ ଭେଟି ଅପିଲ କରିଛନ୍ତି ବୋଲି ମଧ୍ୟ ମହାସଂଘ କହିଛି । ଯେଉଁମାନେ ଶପଥ ପାଠ ଦେବେ ସବୁ ଅଭିଭାବକ ସେହି ପାର୍ଥୀଙ୍କୁ ସମର୍ଥନ ଦେବେ । ବଲାଙ୍ଗିର ଜିଲ୍ଲାରେ ଥିବା ଆଦର୍ଶ ବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା କରିବା ପାଇଁ ମହାସଂଘ ଦାବୀ କରିଛି । ଏହା ହେଲେ ଶହ ଶହ ଛାତ୍ର ଛାତ୍ରୀ ଏହାର ସୁବିଧା ନେଇ ପାରିବେ । ଏହି ସାମ୍ବାଦିକ ସମ୍ମିଳନୀରେ ଆବାହକ ଶ୍ରୀ ମିଶ୍ର, ରାଜ୍ୟ ବରିଷ୍ଠ ଉପଦେଷ୍ଟା ଗୋପାଳଜୀ ପାଣିଗ୍ରାହୀ, ରାଜ୍ୟ ଆବାହକ ପ୍ରଦୀପ ମିଶ୍ର, ସାଧାରଣ ସମ୍ପାଦକ ଶିବରାମ ନାୟକ, ରାଜ୍ୟ ସମ୍ପାଦକ ମହାମାୟା କର, ଚିତ୍ତ ରଞ୍ଜନ ବେହେରା ପ୍ରମୁଖ ମଂଚସୀନ ଥିଲେ ।

Leave A Reply

Your email address will not be published.