ଖପ୍ରାଖୋଲ, (ଅଶୋକ କୁମାର ବାଗ) : ୧୯୫୯ ମସିହାରେ ନିଶ୍ଚିତ ହେଲା ଯେ ଗନ୍ଧମାର୍ଦ୍ଦନ ପର୍ବତ ମଧ୍ୟରେ ପ୍ରଚୁର ପରିମାଣର ଉନ୍ନତମାନର ବକ୍ସାଇଟ ଗଚ୍ଛିତ ରହିଛି, ଯାହାର ପରିମାଣ ପ୍ରାୟ ୨୦୦ ନିୟୁତ ଟନ୍ରୁ ଅଧିକ ହୋଇପାରେ । ଏ ସମ୍ପର୍କରେ ବିଧିବଦ୍ଧ ରିପୋର୍ଟ ପ୍ରକାଶ ପାଇବା ପରେ ୧୯୭୫ ମସିହା ବେଳକୁ ମଧ୍ୟପ୍ରଦେଶର କୋରବା ଠାରେ ସ୍ଥାପିତ ଆଲୁମିନିୟମ କାରଖାନା ପାଇଁ ବକ୍ସାଇଟ ନେବାକୁ ବାଲକୋ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା । ମାତ୍ର ସ୍ଥାନୀୟ ଲୋକଙ୍କ ବିରୋଧରୁ ଏହା ସାକାର ହୋଇପାରିଲା ନାହିଁ । ‘ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ’ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଆନ୍ଦୋଳନକୁ ଧୀରେ ଧୀରେ ସାଧାରଣ ଲୋକଙ୍କ ସମର୍ଥନ ମିଳିଲା । ସମସ୍ତେ ଏକଜୁଟ ହେବାରେ ଏମାନଙ୍କର ମିଳିତ ଶକ୍ତି ନିକଟରେ ସରକାର ଓ କମ୍ପାନୀର ଖଣିଲୁଟ୍ ଯୋଜନା ଫଳପ୍ରଦ ହେଲାନାହିଁ । ପ୍ରାୟ ୪୯ ବର୍ଷ ପରେ ପୁଣି ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଗଣମାଧ୍ୟମ ଠୁ ଆରମ୍ଭ କରି ପାର୍ଲ୍ୟାମେଣ୍ଟ ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ହୋଇଛି । ରାଜ୍ୟରେ ବିଜେପି ସରକାର ପ୍ରଥମଥର ପାଇଁ କ୍ଷମତା ହାସଲ କରିବା ପରେ ରାଜ୍ୟର ପ୍ରମୁଖ ଲାଭକାରୀ ସଂସ୍ଥା, ସରକାରୀ ଉଦ୍ୟୋଗ, ବନ୍ଦର, ବିମାନ ବନ୍ଦର, ଖଣିଖଦାନ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ହାତରେ ଟେକିଦେବାକୁ ଉଦ୍ୟମ ଆରମ୍ଭ କରିଦେଇଥିବା ଆଲୋଚନା ହେଉଛି । ଏହା ନେଇ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବପରିଷଦ ତରଫରୁ ଗତ ୫୫ ଦିନଧରି ଅନଶନରେ ବସିବା ପରେ ଆଜି ଖପ୍ରାଖୋଲ ଠାରେ ମହାସମାବେଶ ଅନୁଷ୍ଠିତ ହେବାକୁ ଯାଉଛି । ପାଖାପାଖି ସାତ ହଜାର ଆନ୍ଦୋଳନକାରୀ ଏହି ସମାବେଶରେ ଯୋଗଦେବେ ବୋଲି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ପରାମର୍ଶଦାତା ସୁଶୀଲ ନାଏକ ପ୍ରକାଶ କରିଛନ୍ତି ।
Next Post