ମହାପ୍ରଭୁଙ୍କ ୩୨ ବିଗ୍ରହକୁ ମେଲାଣି ଦେଲେ ବାରବାଟିଆ ଗ୍ରାମବାସୀ

ଭୋଗରାଇ, (ଶିବନାରାୟଣ ପାତ୍ର) : ବାରବାଟିଆ ଗ୍ରାମରେ ଆଜିକୁ ୧୧ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ୩୨ ବେଶ ସମାରୋହ ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉତ୍ସବ କମିଟିର ସଭାପତି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରଷ୍କାର ପ୍ରାପ୍ତ ଶିକ୍ଷକ ଦେବବ୍ରତ ଦେ ଅତିଥିମାନଙ୍କୁ ମଞ୍ଚକୁ ଆହ୍ଵାନ ଓ ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଜ୍ଞାନରଞ୍ଜନ ଦେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଅଷ୍ଟକମ ପାଠ କରିଥିଲେ । ଶିକ୍ଷକ ସୌଭାଗ୍ୟ ରଞ୍ଜନ ଦେଙ୍କ ସଭାପତିତ୍ଵରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟଅତିଥି ତଥା ବାଲେଶ୍ଵର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଆଶିଷ କୁମାର ପାତ୍ର, ଭୋଗରାଇ ବିଜେପି ନେତା ସଞ୍ଜିବ କୁମାର ସାହୁ ଓ ସମ୍ମାନିତ ଅତିଥିଭାବେ ବିଜେପି କମର୍ଦ୍ଦା ମଣ୍ଡଳ ସଭାପତି ସତ୍ୟବ୍ରତ ଜେନା ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ଭବ୍ୟ ୩୨ ବେଶର ସଂସ୍କୃତି ଓ ପରମ୍ପରା ସହିତ ଭାରତୀୟ ସଂସ୍କୃତିର ତୁଳନାତ୍ମକ ଆଲୋଚନା କରିଥିଲେ । ଶେଷ ସନ୍ଧ୍ୟାରେ ୩୨ ବେଶର ଚରଣାଶ୍ରିତମାନଙ୍କ ସହିତ ନ୍ୟାସନାଲ ଫେଲୋସିପ ଆୱାର୍ଡ଼ ପାଇଥିବା କବି ସୁକୁମାର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ଆଇନଜୀବୀ ରାଜକିଶୋର ଜେନା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସଂନ୍ଧ୍ୟା ଆଳତୀ କାର୍ଯ୍ୟକ୍ରମ ପରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଭୁବନେଶ୍ୱରର ତିଳୋତ୍ତମା ମିଶ୍ର ଓ ସାଥି ଭଜନ ଟ୍ରୁପ ସୁମଧୁର ଭଜନରେ ଶ୍ରୋତାମାନଙ୍କୁ ମନମୁଗ୍ଧ କରିଥିଲେ । ପରେ ପରେ ଜଗନ୍ନାଥ ସଂସ୍କୃତିର ବିଶିଷ୍ଟ ଗବେଷକ ତଥା ଜୟ ଜଗନ୍ନାଥ ଚ୍ୟାନେଲର ଭାଷ୍ୟକାର ପଣ୍ଡିତ ସୌମ୍ୟରଞ୍ଜନ ପଣ୍ଡା ଓ ପଣ୍ଡିତ ତପନ କୁମାର ପଣ୍ଡା ପ୍ରବଚନ ମାଧ୍ୟମରେ ଶ୍ରୀଜଗନ୍ନାଥ କଥାମୃତ ଶ୍ରବଣ କରାଇ ଭକ୍ତବୃନ୍ଦଙ୍କୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଭକ୍ତିରସରେ ରସାଣିତ କରାଇଥିଲେ । ମଧ୍ୟରାତ୍ର ପରେ ଶ୍ରୀକ୍ଷେତ୍ର ପୁରୀରୁ ଆସିଥିବା ମହାପ୍ରଭୁଙ୍କ ୩୨ ବିଗ୍ରହଙ୍କୁ ବାରବାଟିଆ ଗ୍ରାମବାସୀ ଏକ କରୁଣ ଓ ଭକ୍ତିଭାବ ପରିବେଶରେ ମେଲାଣି ଦେଇଥିଲେ ।

Leave A Reply

Your email address will not be published.