ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ସ୍କୁଲ ଛାତ୍ରୀ

ବୌଦ୍ଧ : ମର୍ଯାକୁଦ ବ୍ରିଜରୁ ମହାନଦୀକୁ ଡେଇଁଲେ ନବମ ଶ୍ରେଣୀ ଛାତ୍ରୀ । ପରେ ଶିଶୁ ମନ୍ଦିର ସ୍କୁଲ ନିକଟରୁ ଛାତ୍ରୀଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟଲୋକେ । ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ । ସୂଚନା ଅନୁସାରେ, ବୌଦ୍ଧ ସହର ବ୍ରାହ୍ମଣ ସାହିର ବିଜୟ ବଗର୍ତ୍ତିଙ୍କ ଝିଅ ବୌଦ୍ଧ ଶିଶୁ ମନ୍ଦିର ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢନ୍ତି । ଆଜି ସକାଳୁ ସେ ସ୍କୁଲକୁ ଯିବା ସମୟରେ ମର୍ଯାକୁଦ ବ୍ରିଜ ଉପର ଦେଇଯାଇଥିଲେ । ଏହି ସମୟରେ ମର୍ଯାକୁଦ ସେତୁ ଉପରେ ନିଜ ସ୍କୁଲ ବ୍ୟାଗ୍, ସାଇକେଲ ଏବଂ ଚପଲ ରଖି ମହାନଦୀକୁ ଡେଇଁ ପଡ଼ିଥିଲେ । ନଦୀରେ ଶୌଚ କରୁଥିବା କିଛି ଲୋକ ଏହି ଘଟଣାକୁ ଦେଖିଥିଲେ ଏବଂ ସ୍ଥାନୀୟଲୋକେ ନାବାଳିକାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ପରେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଘଟଣା ବିଷୟରେ ସୂଚନା ଦେଇଥିଲେ । ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବୋଟ୍‌ ଯୋଗେ ନାବାଳିକାଙ୍କୁ ଶିଶୁ ମନ୍ଦିର ସ୍କୁଲ ନିକଟରୁ ଉଦ୍ଧାର କରିଛି । ଉଦ୍ଧାର କରି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ତାଙ୍କର ଚିକିତ୍ସା ଜାରି ରହିଛି । କେଉଁ କାରଣରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ତେବେ ଖବର ପାଇ ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଥବା ଜଣାପଡିଛି । ଏଥି ସହିତ ନାବାଳିକାଙ୍କ ବାପା ମାଙ୍କୁ ମଧ୍ୟ ପଚରାଉଚରା ଜାରି ରଖିଛି ।

Leave A Reply

Your email address will not be published.