ମୁଖ୍ୟମନ୍ତ୍ରୀଙ୍କ ଗାନ୍ଧୀ ଷ୍ଟାଡିୟମ୍ ପାଇଁ ୨୫ କୋଟି ଓ ଓପନ ଥିଏଟର ପାଇଁ ୧୧.୨୩ କୋଟି; କଳାକାର ଓ ଖେଳାଳୀ ମହଲରେ ଖୁସିର ମାହୋଲ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତ ୧ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ସମୟରେ ସହରର ରାମେଶ୍ୱର ଷ୍ଟାଡିୟମରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳାରେ ସୋନପୁର ସହରର ସଂସ୍କୃତି ଭବନଠାରେ ୧୧ କୋଟି ୨୩ ଲକ୍ଷ ଟଙ୍କାରେ ଏକ ଓପନ ଏୟାର ଥିଏଟର ନିର୍ମାଣ ପାଇଁ ଏବଂ ଗାନ୍ଧୀ ଷ୍ଟାଡିୟମର ଆଧୁନିକୀକରଣ ପାଇଁ ୨୫ କୋଟି ଓ ବଲାଙ୍ଗିର, ସମ୍ବଲପୁର ଓ ଭୁବନେଶ୍ୱରକୁ ସଂଯୋଗ କରୁଥିବା ସହରର ପ୍ରମୁଖ ବ୍ଲକ ଛକର ଆଧୁନିକୀକରଣ ପାଇଁ ୪ କୋଟି ୨୩ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଏହି ଖବର ଶୁଣିବା ପରେ ଜିଲ୍ଲାର କଳା ସଂସ୍କୃତି ପ୍ରେମୀ, କ୍ରୀଡ଼ା ପ୍ରେମୀ ମହଲରେ ଖୁସିର ଲହରୀ ଖେଳିଯାଇଛି । ପୁରୁଣା ଟାଉନହଲ ପରିସରରେ ଥିବା କଳାକାରଙ୍କ ଲାଗି ଭୀମଭୋଇ କଳା ମଣ୍ଡପକୁ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପୂର୍ବରୁ ଭାଙ୍ଗି ଦିଆଯାଇଥିଲା ବେଳେ କଳାକାରମାନେ କଳା ପ୍ରଦର୍ଶନ ପାଇଁ ସୋନପୁରରେ ବର୍ତ୍ତମାନ ସ୍ଥାୟୀ ମଞ୍ଚ ନାହିଁ । ଏନେଇ ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କୁ ବିଭିନ୍ନ କଳାକାର ତଥା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆପତ୍ତି ଓ ଅଭିଯୋଗ ହୋଇ ଆସୁଥିଲା । ଜିଲ୍ଲାପାଳ ମଧ୍ୟ ଏହି ଅସୁବିଧାକୁ ଉପଲବ୍ଧି କରିବା ସହ ତାଙ୍କ ଦ୍ୱାରା ଯେତିକି ସମ୍ଭବ ରାଜ୍ୟ ସରକାରଙ୍କୁ ଜଣାଇବା ପାଇଁ ପ୍ରତିଶୃତି ଦେବା ସହ ଉଦ୍ୟମ ଜାରି ରଖିଥିଲେ । ସହରର ଦୁର୍ଘଟଣା ପ୍ରବଣ ପ୍ରମୁଖ ବ୍ଲକ ଛକ ଉନ୍ନତିକରଣ ପାଇଁ ମଧ୍ୟ ଜିଲ୍ଲାପାଳଙ୍କ ପ୍ରଚେଷ୍ଟା ପ୍ରସଂଶନୀୟ । ଶେଷରେ ଜିଲ୍ଲାବାସୀଙ୍କ ପାଇଁ ଫେବୃୟାରୀ ୧ ତାରିଖ ଦିନ ଖୁସି ଖବର ନେଇ ଆସିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମୁକ୍ତ ମଞ୍ଚ ପାଇଁ ୧୧ କୋଟି ୨୩ ଲକ୍ଷ ଟଙ୍କା, ବ୍ଲକ ଛକ ଆଧୁନିକ କରଣ ପାଇଁ ଓ ଗାନ୍ଧୀ ଷ୍ଟାଡିୟମ୍ ଆଧୁନିକୀକରଣ ପାଇଁ ୨୫ କୋଟି ଟଙ୍କା ଘୋଷଣା କଲେ । ଏଥି ପାଇଁ ଜିଲ୍ଲା କ୍ରିକେଟ୍ ସଂଘ, ଜିଲ୍ଲା କ୍ରୀଡା ସଂଘ, ଭୀମଭୋଇ କଳା ପରିଷଦ, ପଏଁରୀ, ନାଟ ଅନୁଷ୍ଠାନ ସମେତ ବିଭିନ୍ନ କ୍ରୀଡା ସଂଘ ଓ ସହରର ବୁଦ୍ଧିଜୀବି ସଚେତନ ନାଗରିକଙ୍କ ପକ୍ଷରୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଶୁଭେଚ୍ଛାର ସୁଅ ଛୁଟିଛି ।