ବାରିପଦା ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଉତ୍ସାହ ଓ ମହକ ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ବାରିପଦା ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ସ୍ଥାନୀୟ ସହିଦ ସ୍ମୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଉତ୍ସାହ ଓ ମହକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ ଗୁଡିକରେ ରହୁଥିବା ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ପ୍ରସ୍ଫୁଟିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ମହକ କାର୍ଯ୍ୟକ୍ରମ ଅଧୀନରେ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା,ଏକକ ନୃତ୍ୟ, ଗ୍ରୁପ ଡେନ୍ସ କୁଇଜ ଏବଂ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କନିଷ୍ଠ ବର୍ଗରେ ୧୦ ବର୍ଷ ବୟସରୁ ୧୪ ବର୍ଷ ବୟସ ଏବଂ ବରିଷ୍ଠ ବର୍ଗରେ ୧୫ ବର୍ଷ ବୟସରୁ ୧୮ବର୍ଷ ବୟସର ଶିଶୁମାନେ ଅଂଶ ଗ୍ରହଣ କରିଥିଲେ । ସେହିପରି ଉତ୍ସାହ ଅଧୀନରେ ୧୨ବର୍ଷ ବୟସରୁ ୧୮ ବର୍ଷ ବୟସ ମଧ୍ୟ ଶିଶୁ ମାନଙ୍କ ମଧ୍ୟରେ ୧୦୦/୨୦୦ ମିଟର ଦୌଡ଼, ଚେସ, କ୍ୟାରାମ, ଉଚ୍ଚ ଡିଆଁ, ଲମ୍ବ ଡିଆଁ ଏବଂ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳଙ୍କ ତତ୍ୱାବଧାନରେ ଆୟୋଜିତ ଆଜିର କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ହେମକାନ୍ତ ସୟ, ମୁଖ୍ୟ ବ୍ୟକ୍ତା ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି, ସମ୍ମାନିତ ଅତିଥି ଭାବେ ଆଇଏଏସ୍‌ ପ୍ରବେଶନର ମିସ କାଶିଷ ବକ୍ସି, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁ ଚରଣ ମଲ୍ଲିକ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥିବୃନ୍ଦ ପିଲାମାନଙ୍କୁ ସେମାନଙ୍କର ଅନ୍ତର୍ନିହିତ ଗୁଣାବଳୀକୁ ପ୍ରସ୍ପୁଟିତ କରିବା ପାଇଁ ଇଶ୍ୱରଙ୍କ ଉପରେ ବିଶ୍ୱାସ ରଖି ନିଜ ଭିତରେ ଆତ୍ମ ବିଶ୍ୱାସ ବୃଦ୍ଧି କରିବା ସହ କଠିନ ପରିଶ୍ରମ କଲେ ଏବଂ ଧୈର୍ଯ୍ୟର ସହିତ ନିରନ୍ତର ପ୍ରଚେଷ୍ଟା ଜାରି ରଖିଲେ ନିଶ୍ଚିତ ଦିନେ ସଫଳତା ମିଳିବ ଏବଂ ନିଜ ଲକ୍ଷ୍ୟ ସ୍ଥଳରେ ପହଂଚି ହେବ । ସଂଘର୍ଷର ମୁକାବିଲା କରି ପାରିଲେ ନିଜ ଭିତରେ ଆତ୍ମ ବିଶ୍ୱାସ ବୃଦ୍ଧି ହେବା ସହିତ ନିଜର ଦକ୍ଷତା ବଢିବ ବୋଲି ପ୍ରେରଣାଦାୟକ ଶବ୍ଦ କହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି କାର୍ୟ୍ୟକ୍ରମର ଦ୍ଵିତୀୟ ଅଧିବେଶନ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ସମ୍ମାନିତ ଅତିଥି ଭାବେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଜଗଦୀଶ ଚନ୍ଦ୍ର ଘଡେଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତି ଓ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଆଶିଷ ବସନ୍ତିଆ ପ୍ରମୁଖ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହିତ ଭବିଷ୍ୟତରେ ଆହୁରି ଉନ୍ନତି କରି ନିଜ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ପୂର୍ଣ୍ଣ ବିକଶିତ କରିବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ ଏବଂ ପ୍ରତିଯୋଗିତାରେ ଅସଫଳ ହୋଇଥିବା ଛାତ୍ରଛାତ୍ରୀମାନେ ନିରୁତ୍ସାହିତ ନହୋଇ ସଫଳତା ହାସଲ ପାଇଁ ଧର୍ଯ୍ୟର ସହିତ ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ପ୍ରକାଶ ଥାଉକି ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନେ ରାଜ୍ୟ ସ୍ତରୀୟ ଶିଶୁ ମହତ୍ସବ ଉତ୍ସାହ ଓ ମହକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ମାନେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଶିଶୁ ସୁରକ୍ଷା ୟୁନିଟର ଅଧିକାରୀଣୀ ମମତାମୟୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ କେନ୍ଦ୍ରର ଛାତ୍ରଛାତ୍ରୀ, କର୍ମକର୍ତ୍ତା ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.