୨୦ ଦିନରେ ପହଂଚିଲା ମହାଯୁଦ୍ଧ : ସମାଧାନ ପଥ ଏବେ ବି ଅସ୍ପଷ୍ଟ, ରୁଷ୍‌ର ଘନଘୋର ଆକ୍ରମଣରେ ହୁ ହୁ ଜଳୁଛି ୟୁକ୍ରେନ

ନୂଆଦିଲ୍ଲୀ : ଆଜି ୨୦ ଦିନରେ ପହଂଚିଛି ରୁଷ୍‌-ୟୁକ୍ରେନ୍‌ ମହାଯୁଦ୍ଧ । ଚତୁର୍ଥ ରାଉଣ୍ଡ କଥାବାର୍ତ୍ତା ପରେ ବି ସମାଧାନ ପଥ ଅସ୍ପଷ୍ଟ ରହିଥିବା ବେଳେ ଦୁଇ ଦେଶ ମଧ୍ୟରୁ ଗୋଟିଏ ବି ଦେଶ ପଛକୁ ଘୁଂଚିବାର ନାଁ ନେଉ ନାହାନ୍ତି । ରୁଷ୍‌ର ଘନଘୋର ଆକ୍ରମଣରେ ହୁ ହୁ ଜଳୁଛି ୟୁକ୍ରେନ୍‌ । ରୁଷ୍‌ର ଅର୍ଥବ୍ୟବସ୍ଥା ବି ବିଶ୍ୱ ବଜାରରେ ଭୁଷୁଡ଼ି ପଡ଼ିଲାଣି । ସ୍କୁଲ, ହସ୍‌ପିଟାଲ୍‌, ପ୍ଲାଣ୍ଟ, ସୈନ୍ୟ ଡିପୋ, ତୈଳ ଡିପୋ ଆଉ କୌଣସି ସ୍ଥାନ ୟୁକ୍ରେନ୍‌ରେ ସୁରକ୍ଷିତ ହୋଇ ରହିନାହିଁ । ସଂପୂର୍ଣ୍ଣ ଖଣ୍ଡହର ପାଲଟି ସାରିଲାଣି ୟୁକ୍ରେନ୍‌ ଦେଶ । ଧୂଆଁ ଏବଂ ନିଆଁର ହାହାକାରରେ ଲିଭି ଯାଉଛି ହଜାର ହଜାର ଜୀବନ ଦୀପ । ୟୁକ୍ରେନ୍‌ର ମାରିଆପୋଲରେ ଜଣେ ଗର୍ଭବତୀ ମହିଳା ରୁଷ ସୈନ୍ୟଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ମୃତ୍ୟୁ ଘଟିସାରିଛି । ଅନ୍ୟପଟେ ନିରୀହ ଶିଶୁମାନେ ବି ଯୁଦ୍ଧର ବଳୟରେ ଜୀବନ ହାରି ସାରିଲେଣି । ନଛୋଡ଼ବନ୍ଧା ରୁଷ୍‌ ନିଜ ଜିଦ୍‌ରେ ଅଟଳ ଥିବା ବେଳେ ଖୁଂକାର ଆକ୍ରମଣ ଜାରି ରଖିଛି ଓ ୟୁକ୍ରେନ୍‌ ରାଜଧାନୀ କିଭ୍‌କୁ ହାତେଇବା ପାଇଁ ଆହୁରି ତେଜିଆନ କରୁଛି ବୋମା, ମିସାଇଲ୍‌, ରକେଟ ଓ ଗୁଳି ମାଡ଼ । ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି ମଧ୍ୟ ଆତ୍ମ ସମର୍ପଣ କରିବାକୁ ନାରାଜ । ମାତ୍ର ୪୮ରୁ ୭୨ ଘଂଟା ମଧ୍ୟରେ ୟୁକ୍ରେନ୍‌କୁ ଅକ୍ତିଆର୍‌ କରିବାକୁ ଆଶା ରଖିଥିବା ରୁଷ୍‌ ଦୀର୍ଘ ୨୦ ଦିନ କାଳ ଯୁଦ୍ଧ ଜାରି ରଖିଥିଲେ ମଧ୍ୟ ରାଜଧାନୀ କିଭ୍‌କୁ ସଂପୂର୍ଣ୍ଣ ଅକ୍ତିଆର କରି ପାରିନାହିଁ । ନାଟୋ ସହାୟତାରୁ ବଂଚିତ ହୋଇଥିବା କଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ୟୁକ୍ରେନ୍‌ । ଅଥଚ ସାରା ବିଶ୍ୱରେ ଏହି ଯୁଦ୍ଧର ଘନଘଟା ଭିତରେ ଉତ୍ତେଜନା ଲାଗି ରହିଛି ।

Leave A Reply

Your email address will not be published.