ommm
jittmm

ବର୍ଷାଋତୁକାଳୀନ ରୋଗ ନିୟନ୍ତ୍ରଣ ନିମନ୍ତେ ସ୍ଵାସ୍ଥ୍ୟ ବିଭାଗର ବ୍ୟାପକ ପ୍ରସ୍ତୁତି
ସଘନ ସଚେତନତା ଓ ତୃଣମୂଳ ସ୍ତରରେ ଆବଶ୍ୟକୀୟ ଔଷଧ ମହଜୁଦ ପାଇଁ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଚଳିତ ବର୍ଷ ବର୍ଷାଋତୁକାଳୀନ ରୋଗ ପ୍ରତିରୋଧ ଓ ନିୟନ୍ତ୍ରଣ ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପ୍ରାକ-ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହି ପରିପ୍ରେକ୍ଷୀରେ ଆଜି ବିଭାଗୀୟ ସମ୍ମିଳନୀ କକ୍ଷଠାରେ କମିଶନର-ତଥା-ଶାସନ ସଚିବ ଅଶ୍ୱତୀ ଏସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭାଗ ଅଧିନସ୍ଥ ବିଭିନ୍ନ ନିର୍ଦ୍ଦେଶାଳୟ ଦ୍ଵାରା ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ବିଭିନ୍ନ ପ୍ରସ୍ତୁତିର ସେ ସମୀକ୍ଷା କରି ତୃଣମୂଳ ସ୍ତରରେ ସଚେତନତା କାର୍ଯ୍ୟକ୍ରମକୁ ସଘନ କରିବା ସହ ଆଶାକର୍ମୀ ଓ ଉପକେନ୍ଦ୍ରଠାରୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପଖଣ୍ଡ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ରଖିବା ପାଇଁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ତୃଣମୂଳସ୍ତରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଲୋକ ପ୍ରତିନିଧି, ବହୁମୁଖି ସ୍ଵାସ୍ଥ୍ୟକର୍ମୀ, ଆଶାକର୍ମୀ ଏବଂ ସ୍ଵେଚ୍ଛାସେବୀମାନଙ୍କୁ ସାମିଲ କରି ଜନସାଧାରଣଙ୍କୁ ପ୍ରତିରୋଧକ ଏବଂ ପ୍ରତିଷେଧକ ବ୍ୟବସ୍ଥା ବିଷୟରେ ସଠିକ୍ ସୂଚନା ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଦୀର୍ଘସ୍ଥାୟୀ ଔଷଧଯୁକ୍ତ ମଶାରୀର ଶତପ୍ରତିଶତ ବଣ୍ଟନ ଏବଂ ବାସ୍ତବ କ୍ଷେତ୍ରରେ ସେଗୁଡ଼ିକର ବ୍ୟବହାର ଉପରେ ବିଶେଷ ଗୁରୁତ୍ଵ ଦେଇ ଆଶାକର୍ମୀ ଏବଂ ବହୁମୁଖି ସ୍ଵାସ୍ଥ୍ୟକର୍ମୀମାନଙ୍କ ମାଧ୍ୟମରେ ଏହାକୁ ସୁନିଶ୍ଚିତ ନିମନ୍ତେ ସ୍ୱାସ୍ଥ୍ୟ ସଚିବ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନେ ସମ୍ବେଦନଶୀଳ ଜିଲ୍ଲାମାନଙ୍କୁ ଗସ୍ତ କରି ସେଠାରେ ଔଷଧ ଯୁକ୍ତ ମଶାରୀ ବଣ୍ଟନ, ସଚେତନତା ଅଭିଯାନ, ବିଭିନ୍ନ ସ୍ତରରେ ଆବଶ୍ୟକୀୟ ଔଷଧ ମହଜୁଦ, ମ୍ୟାଲେରିଆ ଡେଙ୍ଗୁ ଆଦି ଜ୍ଵରର ନିରୂପଣ ନିମନ୍ତେ ଟେଷ୍ଟିଂ-କିଟ୍ ର ଉପଲବ୍ଧି, ସକ୍ରିୟ କ୍ଷେତ୍ର ନିରୀକ୍ଷଣ, ନିୟମିତ ଯାଞ୍ଚ ଓ ନମୁନା ପରୀକ୍ଷଣ ଆଦି ସୁନିଶ୍ଚିତ କରାଇବା ନିମନ୍ତେ ଶାସନ ସଚିବ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବରିଷ୍ଠ ଅଧିକାରୀମାନଙ୍କ କ୍ଷେତ୍ର ପରିଦର୍ଶନ ଓ ପରିଚାଳନା ନିମନ୍ତେ ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ଓ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ପାଇଁ ସ୍ଵତନ୍ତ୍ର ଶାସନ ସଚିବ ତଥା ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକର ଆଲୋଚନାରୁ ଜଣାପଡିଥିଲା ଯେ, ବିଗତ ବର୍ଷମାନଙ୍କରେ ଅଧିକ ସଂଖ୍ୟକ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ୭ଟି ଜିଲ୍ଲାର ସମ୍ବେଦନଶୀଳ ସାମାଜିକ ବର୍ଗମାନଙ୍କ ମଧ୍ୟରେ ଶତ ପ୍ରତିଶତ ବଣ୍ଟନ ପାଇଁ ୪୦.୪୯ ଲକ୍ଷରୁ ୍ରଧିକ ଔଷଧଯୁକ୍ତ ମଶାରୀ ଯୋଗାଇ ଦିଆଯାଇଛି । ତେଣୁ ଏହି ଜିଲ୍ଲାମାନଙ୍କରେ ପ୍ରତିରୋଧକ, ନିରୀକ୍ଷଣ ଓ ପ୍ରତିଷେଧକ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବା ପାଇଁ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି, ଗତ ବର୍ଷ ଡେଙ୍ଗୁ ମାମଲା ଅଧିକ ଥିବା ଜିଲ୍ଲାରେ ବିଶେଷ ଧ୍ୟାନ କେନ୍ଦ୍ରୀଭୂତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଲକ୍ଷ୍ୟଭେଦୀ ଅଭିଯାନର ସବୁ କାର୍ଯ୍ୟକ୍ରମ ଜାତୀୟ ସ୍ଵାସ୍ଥ୍ୟ ମିଶନ (ଓଡିଶା) ନିର୍ଦ୍ଦେଶକ ଡା. ବୃନ୍ଦା.ଡିଙ୍କ ତତ୍ତ୍ୱାବଧାନରେ ପରିଚାଳନା ପାଇଁ ନିଷ୍ପତ୍ତି ହୋଇଥିଲା । ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ କୁମାର ମହାପାତ୍ର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ, ଜାତୀୟ ସ୍ଵାସ୍ଥ୍ୟ ମିଶନ, ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀ ବୃନ୍ଦ, ବିଶେଷଜ୍ଞ ଓ ପରାମର୍ଶଦାତାମାନେ ବୈଠକର ଆଲୋଚନାର ଅଂଶଗ୍ରହଣ କରିଥିଲେ । ବୈଠକଟି ଉଭୟ ଅନ୍-ଲାଇନ୍ ଏବଂ ଅଫ୍-ଲାଇନ୍ ମୋଡ୍ ରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.