ନୃସିଂହ ନାଥ ଜନ୍ମୋତ୍ସବ ୨୦୨୬ ପାଇଁ ବ୍ୟାପକ ପ୍ରସ୍ତୁତି : ୨୬ ଏପ୍ରିଲରୁ ଆରମ୍ଭ ହେବ ବିଶ୍ୱ ଶାନ୍ତି ମହାଯଜ୍ଞ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ଧାମରେ ଆସନ୍ତା ନୃସିଂହନାଥ ଜନ୍ମୋତ୍ସବ ୨୦୨୬ ଉତ୍ସବକୁ ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଭକ୍ତ ମଣ୍ଡଳୀଙ୍କ ଉପସ୍ଥିତିରେ ଭଗବାନ ନୃସିଂହନାଥଙ୍କ ଜନ୍ମୋତ୍ସବ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶରେ ପାଳନ କରାଯିବ । ୨୦୨୬ ମସିହାରେ ନୃସିଂହ ଜୟନ୍ତୀ ୩୦ ଏପ୍ରିଲ (ଗୁରୁବାର) ଦିନ ପଡ଼ୁଥିବାରୁ ସେହିଦିନ ମୁଖ୍ୟ ଜନ୍ମୋତ୍ସବ ପାଳନ ହେବ। ଉତ୍ସବର ଅବସରରେ ୨୬ ଏପ୍ରିଲ ୨୦୨୬ ତାରିଖରୁ ବିଶ୍ୱ ଶାନ୍ତି ମହାଯଜ୍ଞର ଆରମ୍ଭ ହେବ । ପ୍ରଥମ ଦିନ ଅପରାହ୍ନ ୩ଟା ସମୟରେ କଳସ ଅଧିବାସ ଓ ଆଙ୍କୁରା ରୋପଣ କାର୍ଯ୍ୟକ୍ରମ ହେବ । ୨୭ ଏପ୍ରିଲ ତାରିଖରେ ବିଶ୍ୱ ଶାନ୍ତି ମହାଯଜ୍ଞର ଔପଚାରିକ ଆରମ୍ଭ ସହ ପାର୍ଶ୍ୱ ଦେବଦେବୀଙ୍କ ନିମନ୍ତ୍ରଣ ଓ ଗୋମାତା ପୂଜା, ବୀଜମନ୍ତ୍ର ଜାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୨୮ ଓ ୨୯ ଏପ୍ରିଲ ତାରିଖରେ ବିଶ୍ୱ ଶାନ୍ତି ମହାଯଜ୍ଞ ଓ ବୀଜମନ୍ତ୍ର ଜାପ ଜାରି ରହିବା ସହିତ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ୩୦ ଏପ୍ରିଲ ୨୦୨୬ ତାରିଖରେ ମୁଖ୍ୟ ଜନ୍ମୋତ୍ସବ ଦିନରେ ସନ୍ଧ୍ୟା ୭ଟାରୁ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ପୂଜା ଅନୁଷ୍ଠିତ ହେବ । ଏହି ଅବସରରେ ଆଦିକନ୍ଧ ସମାଜ ପକ୍ଷରୁ ପିତ କନ୍ଦା ଭୋଗ ଅର୍ପଣ କରାଯିବ ଏବଂ ମୁଖ୍ୟ ମନ୍ଦିରରେ ଧ୍ୱଜା ବନ୍ଧନ କାର୍ଯ୍ୟକ୍ରମ ମଧ୍ୟ ହେବ । ସେହିଦିନ ସନ୍ଧ୍ୟାରେ ଭକ୍ତମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ । ଉତ୍ସବର ଶେଷ ଦିନ ୦୧ ମେ ୨୦୨୬ ତାରିଖରେ ବିଶ୍ୱ ଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି, କର୍ତ୍ତାଙ୍କର ସହସ୍ର ସ୍ନାନ ଓ ସନ୍ଧ୍ୟା ଆଳତି କାର୍ଯ୍ୟକ୍ରମ ସହ ଉତ୍ସବର ସମାପନ ହେବ । ସେହିଦିନ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ । ନୃସିଂହନାଥ ଜନ୍ମୋତ୍ସବ ଅବସରରେ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ମନ୍ଦିରକୁ ଆସି ଭଗବାନଙ୍କ ଦର୍ଶନ କରିବେ ବୋଲି ଆଶା କରାଯାଉଛି ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.