oom

ନଭେମ୍ବର ୧୫ରେ କୋଶଲ ମହାବନ୍ଦ ଡାକରା ଦେଲା କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ନଭେମ୍ବର ୧୫ରେ କୋଶଲ ମହାବନ୍ଦ ଡାକରା ଦେଇଛି କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି । ଆଜି ବଲାଙ୍ଗିର ସାମ୍ୱାଦିକ ଭବନ ଠାରେ କମିଟି ତରଫରୁ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ କୋଶଳାଞ୍ଚଳ ପ୍ରତି ହେଉଥିବା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯାଇ କୋଶଲ ମହାବନ୍ଦ ସଂପର୍କରେ ସୂଚନା ଦିଆଯାଇଛି । କମିଟି ପକ୍ଷରୁ କୁହାଯାଇଛି ଯେ, ବର୍ତମାନ ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ କଳାକାର ମନୋଜ ମିଶ୍ରଙ୍କୁ ଓଡ଼ିଆ ସିନେ ଜଗତ ବ୍ୟାନ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । କେବଳ ମନୋଜ ମିଶ୍ର ଘଟଣା ନୁହଁ ପଶ୍ଚିମାଂଚଳକୁ ଠକି ଓଡ଼ିଶା ମାନଚିତ୍ରରେ ସ୍ଥାନୀତ କରାଯିବା ଦିନଠୁ ଏ ଅଞ୍ଚଳ ପ୍ରତି ସରକାରୀ ଉଦାସିନତା, ଆଞ୍ଚଳିକ ଭେଦଭାବ କରାଯାଉଥିବା ବେଳେ ଏ ଅଞ୍ଚଳର ବିଭିନ୍ନ ଜନ ଦାବିକୁ ସରକାର ଗୁରୁତ୍ୱ ଦେଉନାହାନ୍ତି ବୋଲି କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କଡ଼ା ଆରୋପ ଲଗା ଯାଇଛି । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା, ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଲୟ ପ୍ରତିଷ୍ଠା, ଏମ୍ସ ପ୍ରତିଷ୍ଠା, କଟନ୍ କରିଡୋର ପ୍ରତିଷ୍ଠା ଆଦି ଦାବୀ ପଶ୍ଚିମ ଓଡ଼ିଶାର ପ୍ରମୁଖ ଦାବି ହୋଇଥିବା ବେଳେ ସରକାର ସାମାନ୍ୟ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି । ସେହିପରି ଆବାସ ଯୋଜନାରେ ପଶ୍ଚିମ ଓଡ଼ିଶାକୁ ଅବହେଳା, ଅନେକ ସୁତା ମିଲ୍ ,ସୁଗର ମିଲ୍ ବନ୍ଦ ହେବା ଘଟଣା ତଥା ପଶ୍ଚିମ ଓଡ଼ିଶାରେ ଚାଷୀ ସମସ୍ୟା, ଦାଦନ ସମସ୍ୟା, ବେକାରୀ ସମସ୍ୟା, ଛାତ୍ର ମାନଙ୍କ ସମସ୍ୟା, ଦଳିତ ଆଦିବାସୀ ମାନଙ୍କ ସମସ୍ୟା, ବିସ୍ଥାପନ ସମସ୍ୟା ଏ ଅଞ୍ଚଳର ଅବନତିର ପ୍ରମୁଖ କାରଣ ପାଲଟିଥିଲେ ବି ସରକାର ଏ ଅଞ୍ଚଲର ବିକାଶ କରିବା ପରିବର୍ତେ ବିନାଶ କରୁଛନ୍ତି ବୋଲି କମିଟି ପକ୍ଷରୁ କୁହାଯାଇଛି । ଏପରିକି ଏ ଅଂଚଳର ଭାଷାକୁ ସରକାର ସ୍ୱୀକୃତି ଦେବାପାଇଁ ଚାହୁଁନାହାନ୍ତି । ଓଡ଼ିଶା ସରକାରଙ୍କ ଉପରେ ଏଭଳି ଅନେକ ଆରୋପ ଲଗାଇବା ସହ କମିଟି କୋଶଲ ରାଜ୍ୟ ଦାବୀକୁ ଆହୁରି ବ୍ୟାପକ କରିବା ପାଇଁ ନଭେମ୍ବର ୧୫ କୋଶଲ ମହାବନ୍ଦ ଡାକରା ଦେଇଥିବା ପ୍ରକାଶ କରାଯାଇଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀର କୋଶଲବାଦୀ ନେତା କୌସ୍ତୁବ ସାହୁ, ବୀରବଲ ମହାକୁର, ସୁଶୀଲ କୁମାର ଗୁରୁ, ସୁବାସ ଆଚାର୍ୟ୍ୟ, ଜନାର୍ଦ୍ଦନ ସିଂହ, ବିପିନ କୁଶଲିଆ, ଜିତୁ ନାଏକ, ରଂଜନ ଖୁଆସ, ବିଭୂଦତ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.