jayashree

ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀ ନେଇ ଆଜି ଟିଟିଲାଗଡ଼ରେ ୧୨ ଘଣ୍ଟିଆ ମହାବନ୍ଦ ଡାକରା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶନିବାର ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ । ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀ ନେଇ କୋଶଲ ରାଜ୍ୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ମହାବନ୍ଦ ଡାକରା ଦିଆଯାଇଥିଲା । ଏହାର ପ୍ରଭାବ ପଡିଛି ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ସହରରେ । ସହର ତଥା ସଇଁତଳା, ଗୁଡ଼ଭେଲା, ଟିଟିଲାଗଡ଼ ବ୍ଲକ ଓ ଟିଟିଲାଗଡ଼ ପୌର ପରିଷଦରେ ଅଖଚଖ ବନ୍ଦ ରହିବା ସହ ଦୋକାନ ବଜାର, ସରକାରୀ, ବେସରକାରୀ ଅନୁଷ୍ଠାନ ପ୍ରତିଷ୍ଠାନ ବନ୍ଦ ଥିବା ବେଳେ ଜରୁରୀକାଳୀନ ସେବା ଚାଲୁ ରହିଥିଲା । ଏହି ବନ୍ଦ ଡାକରାକୁ ସହରର ବିଭିନ୍ନ ସଂଗଠନ ମଧ୍ୟ ସହଯୋଗ କରିଥିଲେ । ଏହି ବନ୍ଦ ଯୋଗୁଁ ଟିଟିଲାଗଡ଼ – କଣ୍ଟାବାଞ୍ଜି, ଟିଟିଲାଗଡ଼ – ବଲାଙ୍ଗିର, ଟିଟିଲାଗଡ଼ – କଳାହାଣ୍ଡି ରାସ୍ତା ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ଅବରୋଧ କରିଥିବାରୁ ଯାତାୟାତ ଠପ୍‌ ହୋଇ ପଡ଼ିଥିଲା । ରାସ୍ତାରେ ଅଟକି ରହିଥିଲା ଚାରି ଚକିଆ ଯାନ ବାହାନ । ସ୍ଥାନୀୟ ପେଟ୍ରୋଲ ପମ୍ପ ଛକଠାରେ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ କୋଶଲ ମୁକ୍ତି ମୋର୍ଚ୍ଚା ସଂଗଠନର କର୍ମକର୍ତା । ଏହି ବନ୍ଦ ଡାକରାକୁ ବିଜେପି ଦଳ ପକ୍ଷରୁ ସମର୍ଥନ ଜଣାଇଥିଲେ । ପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନୋଭାବ ରଖୁଥିବାରୁ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀ ପାଇଁ ଆଜି ଏହି ମହାବନ୍ଦ ଡାକରା ଦିଆଯାଇଥିବା ଆନ୍ଦୋଳନକାରୀ କହିଥିଲେ । ସୁରକ୍ଷା ବ୍ୟବସ୍ଥା ପାଇଁ ଟିଟିଲାଗଡ ପୋଲିସ ଦ୍ବାରା ବ୍ୟାପକ ଫୋର୍ସ ମୁତୟନ ହୋଇଥିଲେ । ସହରକୁ ପ୍ରବେଶ କରୁଥିବା ସମସ୍ତ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଦେଖିବାକୁ ଗଲେ ସହର ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା ।

Leave A Reply

Your email address will not be published.