ଇସ୍କନ ତରଫରୁ ଜନ୍ମାଷ୍ଟମୀ ମହାଅଭିଷେକ ଆସନ୍ତା ୨୬ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍କନ ତରଫରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଆସନ୍ତା ୨୫ରୁ ୨୭ ପର୍ଯ୍ୟନ୍ତ ହନୁମାନ ବାଟିକା ସ୍ଥିତ ତ୍ରିଶକ୍ତି ଧାମ ଠାରେ ଅନୁଷ୍ଠିତ ହେବ ବୋଲି ତ୍ରିଶକ୍ତି ଧାମ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ମାୟାପୁରର ସୈନ୍ୟାସୀ ଭକ୍ତି ବିଜୟ ଭଗବତ୍ ସ୍ୱାମୀ ମହାରାଜ, ରାଉରକେଲା ଇସ୍କନର ସମ୍ପାଦକ ପ୍ରେମ ମାଧବ ଦାସ, ସୁବୋଧ ଗୋସ୍ୱାମୀ, ପି. କେ. ରାଉତ ଓ ଦୁଃଶାସନ ବେହେରା ପ୍ରମୁଖ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ଜନ୍ମାଷ୍ଟମୀ ପାଇଁ ଆନ୍ତଃ ବିଦ୍ୟାଳୟ କୃଷ୍ଣ ପ୍ରତିଯୋଗିତାରେ ସହରର ପ୍ରାୟ ୩୦୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶ୍ଲୋକ ଆବୃତ୍ତି, ଚିତ୍ରାଙ୍କନ, ତୁଳୀ ରଙ୍ଗ,ଏକକ ନୃତ୍ୟ, ସମବେତ ନୃତ୍ୟ, କୌତୁକ ପୋଷାକ, ରଚନା, ବକ୍ତବ୍ୟ ଓ ଶ୍ଲୋକ ଲିଖନ ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ଏତଦ୍ ବ୍ୟତୀତ ଅନୁଷ୍ଠାନ ଦ୍ୱାରା ପ୍ରସିଦ୍ଧ ନୃତ୍ୟଶିଳ୍ପୀଙ୍କ ଦ୍ଵାରା ନୃତ୍ୟ ପରିବେଷଣ,୨୫ ଓ ୨୬ରେ ସୈନ୍ୟାସୀ ମହାରାଜାଙ୍କ ଦ୍ୱାରା ପ୍ରବଚନ ଆଦି କାର୍ଯ୍ୟକ୍ରମ ରହିଛି । ଏହାସହ ଦହିହାଣ୍ଡି ଭଙ୍ଗା, ସନ୍ଧ୍ୟା ଆରତୀ, କୀର୍ତ୍ତନ ସହ ୨୬ ତାରିଖ ଦିନ ରାତି ୧୦ଟାରେ ମହା ଅଭିଷେକ କରାଯିବା ସହ ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଛି । ଏଥିସହ ଆଧ୍ୟାତ୍ମିକ ଷ୍ଟଲ, ଛୋଟ ଶିଶୁମାନଙ୍କ ପାଇଁ ଷ୍ଟଲ, ପ୍ରଭୁପାଦ ପୁସ୍ତକ, ନୀତିଶିକ୍ଷା ଆଦି ଷ୍ଟଲ୍‌ କରାଯିବ । ତେଣୁ ସହରବାସୀ ତଥା କୃଷ୍ଣ ପ୍ରେମୀ ମାନଙ୍କୁ ଏହି ୩ ଦିନିଆ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀକୁ ଜୟନ୍ତ ପ୍ରଧାନ, ଦୋଳଗୋବିନ୍ଦ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.