ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ପୋଲିସ ଥାନା ପକ୍ଷରୁ ଗତକାଲି ରାତିରେ ରୁଟିନ ଯାଞ୍ଚ ଚାଲିଥିବା ବେଳେ କିଛି ବ୍ୟକ୍ତି ପୋଲିସକୁ ଆକ୍ରମଣ କରିଥିବା ଜଣାଯାଇଛି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଥିବା ଆଇଆଇସି ବାସୁଦେବ ଭୋଇ ସୂଚନା ଦେଇଛନ୍ତି । ଲୋଇସିଂହା ବନାଞ୍ଚଳ ତଥା ଆଗଲପୁର ଥାନା ଉପରବାହାଲ ପଞ୍ଚାୟତର ଫଟାମୁଣ୍ଡା ଓ ନୁଆପାଲି ଅଞ୍ଚଳରେ ଚୋରାକାଠ ବ୍ୟବସାୟୀ ସକ୍ରିୟ ରହି ମୂଲ୍ୟବାନ କାଠ ଚୋରା ଚାଲାଣ କରୁଥିବା ପୋଲିସ ନିକଟରେ ଖବର ଥିଲା । ଆଗଲପୁର ପୋଲିସ ପକ୍ଷରୁ କାଠ ମାଫିଆଙ୍କୁ ତାଗିଦ କରାଯିବା ସହିତ ଗତ କିଛିଦିନ ହେଲା ରାତି ସମୟରେ କଡାକଡି ପେଟ୍ରୋଲିଂ କରାଯାଉଥିଲା । ତେବେ ପୋଲିସକୁ ଭୁକ୍ଷେପ ନ କରି କାଠ ମାଫିଆ ମାନେ ସେମାନଙ୍କ ଚୋରା ଚାଲାଣ ଜାରି ରଖିଥିଲେ । ଫଳ ସ୍ୱରୂପ ପେଟ୍ରୋଲିଂ କରୁଥିବା ପୋଲିସ ଓ କାଠ ମାଫିଆଙ୍କ ମଧ୍ୟରେ ଗତକାଲି ରାତିରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରାୟ ୧୦ରୁ ଊର୍ଦ୍ଧ୍ୱ କାଠ ମାଫିଆ ପୋଲିସକୁ ଆକ୍ରମଣ କରିବା ଫଳରେ ଦୁଇଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଥିଲେ । ପୋଲିସ ଏକ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢାଉ କରିବା ସହିତ ନୁଆପାଲି ଗ୍ରାମର ଜଗଦୀଶ ବାଙ୍କା(୩୭), ସୁବାଷ ଷାଣ୍ଡ (୨୮) ଓ ଅଜୁ ବାଙ୍କା(୨୩)କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଲୋଇସିଂହା ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି ।