
ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ଶହୀଦ ସ୍ମୃତି ଭବନ ପ୍ରେକ୍ଷାଳୟରେ ଇନ୍ଦୁଭୂଷଣ କାନୁନ୍ଗୋଙ୍କ ରଚିତ ଓ ରାଜେଶ ଦାଶଙ୍କ ନିର୍ଦ୍ଦେଶିତ ଏକ ଭିନ୍ନ ସ୍ୱାଦର ନାଟକ “ପାଞ୍ଚାଳୀ” ସମ୍ଭାବନା ସାଂସ୍କୃତିକ ପରିଷଦ ଦ୍ୱାରା ମଞ୍ଚସ୍ଥ ହୋଇଯାଇଛି । ଜଣେ କିନ୍ନର ପ୍ରତି ସମାଜର ମନୋଭାବ ଏବଂ ତା’ର ସଂଘର୍ଷ ଉପରେ ଆଧାରିତ ଏହି ନାଟକକୁ ପ୍ରଥମ ଥର ବାରିପଦାର ଦର୍ଶକ ଟିକେଟ୍ କାଟି ଉପଭୋଗ କରିଥିଲେ । ଭରପୁର ଦର୍ଶକ ଭିତରେ ନାଟକଟି ପ୍ରଦର୍ଶୀତ ହୋଇ ଦର୍ଶକଙ୍କ ମନକୁ ଜିଣି ପାରିଥିଲା । ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଜ୍ଞାନ ପଣ୍ଡା, ରଣଜିତ୍, ଗୋକୁଳ ବାବୁ, ପ୍ରସନ୍ନ ମହାନ୍ତି, ଗୁହୀରାମ, ଧରମଜିତ୍, ସୁଜୟ, କ୍ରିଷ୍ଣା, ଚିନ୍ମୟ, ଶୁଭମ୍, ଜ୍ୟୋତିମୟୀ, ରାଜେଶେନୀ, ସ୍ରିଷ୍ଟି ସାନଭୀ ଓ ଅରିତା । ସଂଗୀତ ନିର୍ଦ୍ଦେଶନା ଦେବାନନ୍ଦ ପାତ୍ର ଏବଂ ସ୍ୱର ଦେଇଥିଲେ ଧରମଜିତ୍ । ପ୍ରାରମ୍ଭରେ ନାଟ୍ୟକାର ଏବଂ ମୟୁରଭଞ୍ଜ ଟ୍ରାନ୍ସଜେଣ୍ଡର ଆସୋସିଏସନର ସଭାପତି ମନିଷା ସାହୁଙ୍କୁ ସମ୍ଭାବନା ତରଫରୁ ସମ୍ମାନୀତ କରାଯାଇଥିଲା । ମଞ୍ଚ ପରିଚାଳନା କରିଥିଲେ ସୋମନାଥ ସିଂହ, ଦର୍ଶନା, ସର୍ମିଷ୍ଠା, ଭର୍ଜା, ଅନ୍ନେଷିତା, ବୈଷ୍ଣବୀ, ଦିବ୍ୟା ଏବଂ ପ୍ରାଚୀ । ଏଭଳି ଏକ ଭିନ୍ନ ଧରଣର ପ୍ରୟୋଗାତ୍ମକ ନାଟକକୁ ଦର୍ଶକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପଭୋଗ କରିବା ସହିତ ସମୟ ସମୟରେ କରତାଳି ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ଉପସ୍ଥିତ ଥିବା ସମସ୍ତ କିନ୍ନରଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।