ସଇଁତଲା, (ପ୍ରମୋଦ ସେଲମା ) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଚଳିତ ବର୍ଷ ନବରାତ୍ର ଦୁର୍ଗାପୂଜାକୁ ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରଜତ ଜୟନ୍ତୀ ପାଳନ କରାଯାଉଛି । ଏହାର ମୁଖ୍ୟ ଆକର୍ଷଣ ସନ୍ଧ୍ୟା ଆଳତୀ ରହିଅଛି । ପୂଜା ଆରମ୍ଭ ଦିନଠାରୁ ସନ୍ଧ୍ୟା ସମୟରେ ଶହ ଶହ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ସମାଗମ ହୋଇଥାଏ । ଏପରିକି ଆଳତୀରେ ଘଣ୍ଟବାଜା ଦ୍ୱାରା ସହର କମ୍ପି ଉଠୁଥିବା ବେଳେ ତୋରଣ ଓ ଆଲୋକ ସଜ୍ଜାରେ ମଧ୍ୟ ଝଲକି ଉଠୁଛି ମଣ୍ଡପ । ଏଥିରେ ମୁଖ୍ୟ ପଣ୍ଡିତ ରାଧାକାନ୍ତ ତ୍ରିପାଠୀଙ୍କ ତତ୍ତ୍ୱବଧାନରେ ବିକ୍ରମ ମିଶ୍ର, କିରଣ ମିଶ୍ର, ମାନସ ମିଶ୍ର, ସୁରେନ୍ଦ୍ର ମିଶ୍ର, ନବଘନ ଷଡ଼ଙ୍ଗୀ ଓ ସାଧୁଚରଣ ଦାସ ପ୍ରମୁଖ ପୂଜାର୍ଚନା କାର୍ଯ୍ୟ ତୁଲାଉଥିବା ବେଳେ କପିଳ ପ୍ରସାଦ ଅଗ୍ରୱାଲ ତାଙ୍କ ଧର୍ମପତ୍ନୀ ରଜନୀ ଅଗ୍ରୱାଲ କର୍ତ୍ତା ଦାୟିତ୍ୱ ତୁଲାଉଛନ୍ତି । ଏଥିରେ କମିଟି ସଭାପତି ସୁରେନ୍ଦ୍ର ସିଂ ଭୋଇ, ସମ୍ପାଦକ ସୁବୋଧ ମିଶ୍ର, କୋଷାଧ୍ୟକ୍ଷ ସଞ୍ଜୟ ଅଗ୍ରୱାଲ ଓ କମିଟିର ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରୁଛନ୍ତି । ପ୍ରତିଦିନ ସନ୍ଧ୍ୟା ସମୟରେ ଭଜନ ସମାରୋହ, ଡ୍ୟାନ୍ସ ପ୍ରତିଯୋଗିତା, ଅପେରା , ସମ୍ବଲପୁରୀ ଭଜନ ଓ ରାବଣ ଦରବାର ଇତ୍ୟାଦି ମନୋରଞ୍ଜନ କାର୍ଯ୍ୟକ୍ରମ ଗୁଡିକ ହେଉଥିବାରୁ ସହର ଚଳଚଞ୍ଚଳ ହୋଇପଡିଛି । ଏହା ସହିତ ପ୍ରତିଦିନ ପ୍ରସାଦ ସେବନ ବ୍ୟବସ୍ଥା ରହିଛି ।