ମାଁ ମଝିଘରିଆଣୀ ଦାନ ହୁଣ୍ଡିରୁ ବାହାରିଲା ଗଦା ଗଦା ଟଙ୍କା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଦୀର୍ଘ ୧୦ ଘଣ୍ଟାର ଗଣତି ପରେ ଶେଷହେଲା ଟଙ୍କା ଗଣତି । ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀ ମନ୍ଦିରରୁ ୯ଟି ହୁଣ୍ଡିର ଗଣତି ଶେଷ ହୋଇଯାଇଛି । ହୁଣ୍ଡିରୁ ନଗଦ ୯୪ ଲକ୍ଷ ୪୯ ହଜାର ୫୪ ଟଙ୍କା, ୯୩ ଗ୍ରାମରୁ ଅଧିକ ସୁନା, ୨ କେଜି ୧୭୦ ଗ୍ରାମ ଓଜନର ରୁପା ସହ ୭ଟି ବିଦେଶୀ ମୁଦ୍ରା ମିଳିଛି । ସକାଳ ୧୦ଟା ୩୦ ମିନିଟ ସମୟରୁ ଗଣତି ଆରମ୍ଭ ହୋଇଥିଲା । ଏହି ଗଣତିରେ ୨୦୦ ଜଣ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଥିଲେ । ସକାଳ ୧୦.୩୦ ମିନିଟରୁ ଗଣତି ଆରମ୍ଭ ହୋଇ ରାତ୍ରି ୯ଟା ବେଳେ ଶେଷ ହୋଇଥିଲା । ରାୟଗଡ଼ା ଅଧିଷ୍ଠାତ୍ରୀ ମା’ ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି ୬ ମାସ ପରେ ଖୋଲା ଯାଉଛି । ଦେବୋତ୍ତର ବିଭାଗ, ସ୍ଥାନୀୟ ତହସିଲଦାର, ଆର୍‌ଆଇ, ମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ପୁଲିସର କଡା ସୁରକ୍ଷା ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ଖୋଲାଯାଇ ଗଣତି ଚାଲିଥିଲା । ଏହି ଅର୍ଥକୁ ୟୁନିୟନ ବ୍ୟାଙ୍କ ମୁଖ୍ୟ ଶାଖାରେ ଜମା କରାଯାଇଛି । ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟି ଅର୍ଥରୁ ମିଳୁଥିବା ସୁଧରେ ମନ୍ଦିରର ଉନ୍ନତି ଓ ମନ୍ଦିରରେ କାର୍ଯ୍ୟରତ କର୍ମଚାରୀଙ୍କ ଖର୍ଚ୍ଚ ସହିତ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ଖର୍ଚ୍ଚ କରାଯାଉଥିବା ନେଇ କହିଛନ୍ତି ।

Leave A Reply

Your email address will not be published.