ବାଇକ୍‌ ଲୁଟେରା ଗ୍ୟାଙ୍ଗକୁ ଧରିଲା ପୋଲିସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜଟଣୀ, ଖୋର୍ଦ୍ଧା, ପୁରୀ, ଟାଙ୍ଗୀ ଓ ଭୁବନେଶ୍ୱର ଆଦି ସ୍ଥାନରୁ ଛିନ୍‌ତାଇ ଓ ଲୁଟ୍‌ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି କମିଶନରେଟ୍‌ ପୋଲିସ । ଏକ ନମ୍ବରବିହୀନ ଗାଡ଼ିରେ ଯାଇ ଲୋକଙ୍କଠାରୁ ମୋବାଇଲ, ଭ୍ୟାନିଟ୍‌, ଟଙ୍କା ଆଦି ଲୁଟ୍‌ ଓ ବାଇକ୍‌ ଚୋରି କରିଥିବା ୩ ଲୁଟେରାଙ୍କୁ ଧରିଛି ଜଟଣୀ ଥାନା ପୋଲିସ । ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା ଅଧୀନ ତିରିମଲ ଗ୍ରାମର ଗୁଡୁ ଓରଫ ରଘୁନାଥ ସେଠୀ (୨୨), ପିପିଲି ଥାନା ଅଧୀନ ବଡକଣ୍ଟି ଅଞ୍ଚଳର ଜଗନ ଓରଫ ଜଗଦୀଶ ସାମନ୍ତରାୟ (୨୭) ଏବଂ ଜଟଣୀ ଥାନା ବାଲିଛକ ମୁଣ୍ଡିଆସାହି ଅଞ୍ଚଳର ବବଲୁ ଓରଫ ସୟଦ ସୈଫ ଅଲି (୨୭) । ଏମାନଙ୍କଠାରୁ ୩ଟି ମୋବାଇଲ୍‌, ୪ ବାଇକ୍‌ ଜବତ ହୋଇଛି । ଏଥିରେ ଗୋଟିଏ ନମ୍ବର ବିହୀନ ବାଇକ୍‌ ରହିଛି । ଏ ସମ୍ପର୍କରେ ପୋଲିସ ଏକ ମାମଲା (ନଂ.୨୮୦/୨୨) ରୁଜୁ କରି ୩ ଅଭିଯୁକ୍ତଙ୍କୁ ରବିବାର କୋର୍ଟଚାଲାଣ କରିଥିଲା ।

ଜାମିନ ନାମଞ୍ଜୁର ପରେ ସମସ୍ତ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ଗୁଡୁଙ୍କ ନାଁରେ ଜଟଣୀ, ଖୋର୍ଦ୍ଧା ଜିଆର୍‌ପି, ଖୋର୍ଦ୍ଧା, ଭରତପୁର, ଚନ୍ଦକା ଓ ଡେଲାଙ୍ଗ ଥାନାରେ ମୋଟ୍‌ ୮ଟି ମାମଲା ରହିଛି । ସେହିପରି ଜଗନଙ୍କ ନାମରେ ଜଟଣୀ ଓ ପିପିଲି ଥାନାରେ ୪ ଏବଂ ବବଲୁଙ୍କ ନାମରେ ଜଟଣୀ ଓ ଖୋର୍ଦ୍ଧା ଥାନାରେ ୨ଟି ଚୋରି, ଲୁଟ୍‌ ଓ ଅନେକ ଆପରାଧିକ ମାମଲା ରହିଛି । ଅଭିଯୁକ୍ତମାନେ ଅଭ୍ୟାସଗତ ଭାବେ ଅପରାଧରେ ସମ୍ପୃକ୍ତ ଥିବାରୁ ସେମାନଙ୍କ ବିରୋଧରେ ସିଆର୍‌ପିସି-୧୧୦ ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ପଦକ୍ଷେପ ନିଆଯାଉଛି ।

ଏଥିସହ ଏହି ଗ୍ୟାଙ୍ଗ୍‌ରେ ଆଉ କିଏ ସାମିଲ ଅଛନ୍ତି ତାହାର ଖୋଲତାଡ଼ କରୁଛି ଜଟଣୀ ପୋଲିସ । ସୂଚନା ମୁତାବକ, ଗତ ୬ ତାରିଖ ସନ୍ଧ୍ୟାରେ ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ଷଣ୍ଢପୁର ଗ୍ରାମର ରାଜେନ୍ଦ୍ର ବେହେରା ଘରକୁ ଫେରୁଥିଲେ । ଏହି ସମୟରେ ସ୍ଥାନୀୟ ଶରତ ପାଇକରାୟ ଖେଳପଡ଼ିଆ ରାସ୍ତାରେ ୩ଜଣ ଯୁବକ ଏକ ବାଇକ୍‌ରେ ଆସି ହଠାତ୍‌ ରାଜେନ୍ଦ୍ରଙ୍କ ମୋବାଇଲ ଝାମ୍ପିନେଇ ଫେରାର ହୋଇଯାଇଥିଲେ । ଏନେଇ ରାଜେନ୍ଦ୍ରଙ୍କ ଅଭିଯୋଗକ୍ରମେ ପୋଲିସ ତଦନ୍ତ ଚଳାଇବା ସହ ଉପରୋକ୍ତ ୩ ଲୁଟେରାଙ୍କୁ ଧରିଥିଲା ।

Leave A Reply

Your email address will not be published.

error: Content is protected !!