୨ ଜଣ ଏଟିଏମ୍ ଲୁଟେରା ଗିରଫ : ଦୀର୍ଘ ୧୫ ବର୍ଷର ଉଦ୍ୟମ ପରେ ଏଟିଏମ୍ ଲୁଟେରାଙ୍କୁ ଧରିବାରେ ଗଞ୍ଜାମ ପୋଲିସକୁ ମିଳିଛି ସଫଳତା
- ଲୋକମାନଙ୍କର ମୋବାଇଲ ନମ୍ବରରେ ବଡ଼ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପରିଚୟ ଦେଇ ହିନ୍ଦୀରେ କଥାବାର୍ତ୍ତା କରି ଏଟିଏମ୍ ନମ୍ବର ଓ ଆଧାର ନମ୍ବର ମାଗୁଥିଲେ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୨ ଜଣ ଏଟିଏମ୍ ଲୁଟେରାଙ୍କୁ ଗିରଫ କରିଛି ଗଞ୍ଜାମ ପୋଲିସ । ଗିରଫ ବ୍ୟକ୍ତିମାନଙ୍କୁ ମାନ୍ୟବର କୋର୍ଟଙ୍କଠାରେ ହାଜର କରାଯାଇ ସେମାନଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି । ଗିରଫ ବ୍ୟକ୍ତିମାନେ ହେଲେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଥାନା ଅଧୀନସ୍ଥ ସୀତାରାମପୁର ଗ୍ରାମର ଡ଼ି.ହରିହର ରେଡ୍ଡୀ (୫୫) ଏବଂ ଲକ୍ଷ୍ମୀପୁର ଗ୍ରାମର ପି. ରଘୁନାଥ ରେଡ୍ଡୀ (୩୮) ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେମାନଙ୍କ ନିକଟରୁ ପୁଲିସ ୯୨ ହଜାର ଟଙ୍କା ଓ ୧୨ଟି ଏଟିଏମ କାର୍ଡ ଜବତ କରିଛି । ଏମାନେ ଆନ୍ଧ୍ର ଓ ଓଡିଶାର ଗଞ୍ଜାମ, ଗଜପତି, ପୁରୀ ସମେତ ବିଭିନ୍ନ ବିଭିନ୍ନ ଜିଲ୍ଲାରେ ରାତାରାତି ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟ କରିଛନ୍ତି । ରମ୍ଭା ଅଞ୍ଚଳରେ ତିନୋଟି ଏଟିଏମ୍ ଲୁଟ୍ ଘଟଣା ସମ୍ପୃକ୍ତ ଥିବା ବେଳେ ବେଲଗୁଣ୍ଠାରେ ମଧ୍ୟ ଗୋଟିଏ ଏଟିଏମ୍ରୁ ଲକ୍ଷାଧିକ ଟଙ୍କା ଲୁଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଗତ ୨୦୦୮ ମସିହାରୁ ପ୍ରଥମ କରି ତା.୧୧/୪/୨୦୦୮ରେ ଗୋଳନ୍ଥରା ଥାନାରେ, ପରେ ୨୦ / ୧୧ / ୨୦୦୮ରେ ଖଲ୍ଲିକୋଟ ଥାନାରେ ଏତଲା ଦିଆଯାଇଥିଲା । ଏଟିଏମ୍ରୁ ଟଙ୍କା ଗାଏବ, ଏଟିଏମ୍ରୁ ଟଙ୍କା ଲୁଟ୍ ହୋଇଯାଇଥିବା ବିଷୟରେ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଥାନାରେ ଏଭଳି ଅଭିଯୋଗ ହୋଇଆସୁଥିଲା । ଦିଗପହଣ୍ଡି, ଗୋଳନ୍ଥରା, କବିସୂର୍ୟ୍ୟନଗର, ବେଲଗୁଣ୍ଠା, ଗଞ୍ଜାମ ଜିଲ୍ଲା ସୀମାନ୍ତ ଥାନା ତଥା ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଏବଂ ପୁରୀ ଜିଲ୍ଲାର ସୀମାନ୍ତ ଥାନା କୃଷ୍ଣପ୍ରସାଦ ଥାନା ଆଦି ବହୁ ଥାନା ଗୁଡିକରେ ମଧ୍ୟ ଆଗରୁ ଏଭଳି ଅନେକ ଅଭିଯୋଗ ହୋଇଛି । ଏହାକୁ ଭିତ୍ତି କରି ପୋଲିସ ତଦନ୍ତ କରିଆସୁଥିଲା । ପୋଲିସ ଏହାର ଟେର ପାଉନଥିଲା । ଏଥିନିମନ୍ତେ ପୋଲିସ ଆଜି ସୁଦ୍ଧା ଉଦ୍ୟମଜାରି ରଖି ଆସିଥିବା କୁହାଯାଏ । ନିକଟରେ ରମ୍ଭା ଥାନା ଅନ୍ତର୍ଗତ ପୋଡାଗଡ଼ ଗ୍ରାମର ପବନା ପ୍ରଧାନା (୫୦) ରମ୍ଭା ଥାନାରେ ଏକ ଏତଲା ଦେଇଥିଲେ । ତାଙ୍କ ଏଟିଏମ୍ରୁ ଜମା ଟଙ୍କାରୁ ୨୦ହଜାର ଟଙ୍କା ଉଠାଇଥିଲେ । ଆଉ ତା ପରେ ତାଙ୍କର ୮୪୦୦ ଟଙ୍କା ବ୍ୟାଙ୍କ ବେଲେନ୍ସ ଥିଲା, ତାହାକୁ କୌଣସି ଲୁଟେରା ଦୁଇଥର ଟଙ୍କା ଉଠାଇଥିବା ଅଭିଯୋଗ ରମ୍ଭା ଥାନାରେ ଏତଲା ହୋଇଛି । ଏହାକୁ ଭିତ୍ତି କରି ରମ୍ଭା ଥାନାରେ ଗତ ୧୫/୫/୨୦୨୩ରେ ଲିଖିତ ଅଭିଯୋଗ ହୋଇଥିଲା । ପୋଲିସ ଅନୁସନ୍ଧାନ ଜାରି ରଖିଥିବା ବେଳେ ଏ ସମ୍ପର୍କରେ ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କର ସନ୍ଧାନ ରମ୍ଭା ପୋଲିସ ପାଇଥିଲା । ଗତ ତା. ୧୩/୬/୨୦୨୩ ରିଖରେ ରୂପକ କୁମାର ପଲେଇ ପୋଲିସକୁ ସୂଚନା ଦେଇଥିଲେ । ସେହିପରି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ର ଗିଲନାସି ଗ୍ରାମର ନବକିଶୋର ପ୍ରଧାନ ତା.୨ /୬/୨୦୨୩ ରେ ଏ ସମ୍ପର୍କରେ ପୋଲିସକୁ ତଥ୍ୟ ଦେଇଥିଲେ ।
ସୂଚନା କ୍ରମେ ଗଞ୍ଜାମ ଜିଲ୍ଲାର ପାଲୁରୁ ଜଙ୍କସନ ଏଟିଏମ୍ କାଉଣ୍ଟର ଠାରେ ପୋଲିସ ଏହି ଟେର ପାଇଥିଲେ । ସେଠାରୁ ପୋଲିସ ଠାବ କରି ଅନେକ ଏଟିଏମ୍ କାର୍ଡ ଧରିଥିବା ଏହି ଦୁଇଜଣ ବ୍ୟକ୍ତିଙ୍କୁ ଧରିଥିଲା । ଉକ୍ତ ଦୁଇଜଣଙ୍କର ତଦନ୍ତ କରି ସେହି ଦୁଇଜଣ ଏଟିଏମ୍ ଲୁଟେରା ଜାଣି ପୋଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ଗଞ୍ଜାମ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଏହାର ଅନୁସନ୍ଧାନ କରି ଆସିବା ପରେ ଆଜି ଏହି ସଫଳତା ପଛରେ ଅନେକ ତଥ୍ୟ ପୋଲିସ ପାଇଛି । ଦୀର୍ଘ ୧୫ବର୍ଷର ପରିଶ୍ରମ ପରେ ଗଞ୍ଜାମ ପୋଲିସକୁ ଏଟିଏମ୍ ଲୁଟେରା ଚୋରଙ୍କୁ ଧରିପାରିଛି । ବିଭିନ୍ନ ସ୍ଥାନରୁ ଲକ୍ଷଲକ୍ଷ ଟଙ୍କା ଏଟିଏମ୍ରୁ ଗାଏବ କରିଥିବା ବିଷୟରେ ମଧ୍ୟ ସୁରାକ ପାଇଛି । ଗଞ୍ଜାମ ପୋଲିସକୁ ଏହି ସଫଳତା ମିଳିଛି ।