ଅଭିଯୋଗର ୨ ଦିନ ଭିତରେ ଲୁଟ୍‌ର ପର୍ଦାଫାଶ କଲା ଲାଠୋର ପୋଲିସ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗତ ୧ ତାରିଖ ରବିବାର ଦିନ ମଧ୍ୟାହ୍ନ ସମୟରେ ଲାଠୋରରୁ ବୁଢାଛାପର ଯିବା ରାସ୍ତାରେ ବନ୍ଧୁକ ଦେଖାଇ ସ୍ପଷ୍ଟ ଦିବାଲୋକରେ ୬୦୦୦ ଟଙ୍କା ଲୁଟ୍ ଘଟଣାରେ ଆଜି ପୋଲିସ ସମ୍ପୃକ୍ତ ୩ ଜଣ ଅପରାଧୀଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ବୁଢାଛାପର ଗ୍ରାମର ଗୋପାଲ ବିଶ୍ୱାଲ ଏବଂ ସାଙ୍ଗ ଟଙ୍କଧର ବେମାଲ ଲାଠୋରରେ କାମ ସାରି ଅପରାହ୍ନ ୩ଟା ସମୟରେ ନିଜ ଗାଁକୁ ଫେରୁଥିଲେ । ଟଙ୍କପାଣି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ୩ଜଣ ଲୁଟେରା ଆସି ରିଭଲଭର ଦେଖାଇ ଗୋପାଲ ବିଶ୍ୱାଲଙ୍କ ଠାରୁ ୬ ହଜାର ଟଙ୍କା ଲୁଟିନେବା ସହ ବାଇକ ଚାବି ଛଡାଇ ଫେରାର ହୋଇଯାଇଥିଲେ । ଏହି ଘଟଣାକୁ ନେଇ ଶ୍ରୀ ବିଶ୍ୱାଲଙ୍କ ପକ୍ଷରୁ ଗତ ୨ ତାରିଖ ଲାଠୋର ଥାନାରେ କେସ ନଂ ୧୯୪/୨୦୨୪ରେ ଏକ ମାମଲା ରୁଜୁ ହୋଇଥିଲା । ଏହାପରେ ଲାଠୋର ଥାନାଧିକାରୀ ରାକେଶ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଗୋଟିଏ ଟିମ ଗଠନ କରି ଛାନଭିନ ଆରମ୍ଭ କରିଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ଘଟଣାରେ ସମ୍ପୃକ୍ତ ୩ ଜଣ ଅପରାଧୀଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଲାଠୋର ଥାନା ଟଙ୍କପାଣି ଗ୍ରାମର ପୃଥ୍ୱୀରାଜ ବାଗ(୨୧), ଗୋରେଖ କରୁଆଁ(୧୯) ଏବଂ ଜଣେ ୧୫ ବର୍ଷର ନାବାଳକ ବୋଲି ଜଣାପଡିଛି । ଏହା ସହିତ ସେମାନଙ୍କ ନିକଟରୁ ୩୫୦୦ ଟଙ୍କା, ଗୋଟିଏ ଦେଶୀ ରିଭଲଭର, ଗୋଟିଏ ଜୀବନ୍ତ ଗୁଳି, ଗୋଟିଏ ଏଆର୍‌ ଗନ୍‌, ମୋବାଇଲ ଏବଂ ବାଇକ ଚାବି ଜବତ ହୋଇଛି । ଅଭିଯୁକ୍ତମାନଙ୍କୁ ଡକାୟତି ଏବଂ ଆର୍ମସ ଏକ୍ଟରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଏନେଇ ଆଜି ମଧ୍ୟାହ୍ନରେ ପାଟଣାଗଡ଼ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପାଟଣାଗଡ ଏସ୍‌ଡିପିଓ ସଦାନନ୍ଦ ପୁଝାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଅଞ୍ଚଳରୁ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ଲୋକଙ୍କୁ କଦାପି ମାଫ କରାଯିବ ନାହିଁ ।

Leave A Reply

Your email address will not be published.