ଲୋପ ପାଇଛି ଗ୍ରିଟିଙ୍ଗ : ସୋସିଆଲ ମିଡିଆରେ ନବବର୍ଷର ବାର୍ତ୍ତା ବୃଦ୍ଧି ପାଉଛି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଆଉ ଦିନକ ପରେ ଇଂରାଜୀ ନବବର୍ଷ ପାଳିତ ହେବାକୁ ଥିବା ବେଳେ ସୋସିଆଲ ମିଡିଆ ଶୁଭେଚ୍ଛା ବାର୍ତ୍ତା ପ୍ରେରଣର ମାଧ୍ୟମ ସାଜିଛି । ପୂର୍ବରୁ ପରସ୍ପରକୁ ଶୁଭେଚ୍ଛା ଜଣାଇବାକୁ ଗ୍ରୀଟିଂସ୍ କାର୍ଡର ବ୍ୟବହାର କରାଯାଉଥିଲା । କିନ୍ତୁ ଏହା ବର୍ତ୍ତମାନ ଲୋପ ପାଇଛି । ନବବର୍ଷ ଆସିଲେ ବିଭିନ୍ନ ଅଞ୍ଚଳର ଦୋକାନରେ ଗ୍ରୀଟିଂସ କାର୍ଡ କିଣିବାକୁ ଲୋକଙ୍କର ଭିଡ଼ ଜମୁଥିଲା । କିନ୍ତୁ କିଛି ବର୍ଷ ହେବ କନ୍ଧମାଳ ଜିଲା ବାଲିଗୁଡା ସହର ସମେତ ଆଖପାଖ ବିଭିନ୍ନ ଅଞ୍ଚଳରେ ଏହି ଗ୍ରିଟିଙ୍ଗ କାର୍ଡ ଆଉ ମିଳୁ ନାହିଁ । ମୋବାଇଲ ଫୋନର ବହୁଳ ବ୍ୟବହାର ବଢ଼ିଥିବାରୁ ହାଟ୍ସଆପ, ଇନଷ୍ଟାଗ୍ରାମ, ଫେସବୁକ, ମେସେଞ୍ଜର ଓ ଟୁଇଟର ମାଧ୍ୟମରେ ବାର୍ତ୍ତା ଦିଆଯାଉଛି । ବୈଷୟିକ ଜ୍ଞାନ କୌଶଳର ମଧ୍ୟ ଚାହିଦା ବଢ଼ିଛି । ଲୋକେ ଅତି ସହଜରେ ମୋବାଇଲ ଫୋନ୍ ଜରିଆରେ ହଜାର ହଜାର କି.ମି. ଦୂରରେ ରହୁଥିବା ବନ୍ଧୁ ଓ ସମ୍ପର୍କୀୟ ମାନଙ୍କୁ ଶୁଭେଚ୍ଛା ଜଣାଇ ପାରୁଛନ୍ତି । ଭିଡିଓ କଲିଂ ଜରିଆରେ ମଧ୍ୟ ପରସ୍ପରଙ୍କ ଉପସ୍ଥିତି ଅନୁଭବ ଜାହିର କରିପାରୁଛନ୍ତି । ଏଭଳି ହାତଲେଖା ଗ୍ରୀଟିଂସ ପଠାଇବା ପରମ୍ପରା ଲୋପ ପାଇଛି । ଗ୍ରିଟିଙ୍ଗ କାର୍ଡରେ ନିଜର ଭାବ ଆଦାନ ପ୍ରଦାନର ଏକ ମାଧ୍ୟମ ହୋଇଥିଲା । ନୂଆବର୍ଷ ପାଳନ ହେବାର ପ୍ରାୟ ୧ ମାସ ପୂର୍ବରୁ ଅଞ୍ଚଳର ବିଭିନ୍ନ ଦୋକାନରେ ୫ ଟଙ୍କାରୁ ଆରମ୍ଭ କରି ୨ଶହରୁ ଅଧିକ ଟଙ୍କା ଯାଏ ଗ୍ରିଟିଙ୍ଗ ବିକ୍ରି ହେଉଥିଲା । କିନ୍ତୁ ଏହାର ଚାହିଦା କମିଥିବାରୁ ଦୋକାନରେ ଏହାର ବିକ୍ରି ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି, ଯାହା ଫଳରେ ଗ୍ରିଟିଙ୍ଗ ବ୍ୟବସାୟ ଆଉ କରାଯାଉ ନ ଥିବା ବିଷୟ ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.