ବିଳମ୍ବିତ ରାତିରେ ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି : ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍‌

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ୱାର୍ଡ ନମ୍ବର ୯ କଲେଜ୍ ରୋଡ ସ୍ଥିତ ରହୁଥିବା ଶିଳ୍ପ ଉଦ୍ୟୋଗୀ ସୁବାଷ ଅଗ୍ରୱାଲଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି । ରାତି ପ୍ରାୟ ୨ଟା ସମୟରେ ୮/୯ ଜଣ ଦୃର୍ବୁତ୍ତ ଘର ଭିତରକୁ ପଶି ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ସହ ସୁନା ଓ ରୂପା ଅଳଂକାର ଦୁର୍ବୃତ୍ତମାନେ ଲୁଟି ନେଇଥିବା ନେଇ ଅଭିଯୋଗ ହୋଇଛି । କେସିଙ୍ଗା ଆଦର୍ଶ ଥାନା ପୁଲିସ ଭୋର୍ ୪ଟାରେ ଖବର ପାଇବା ପରେ ଆଇଆଇସି ସତ୍ୟ କୁମାର ନନ୍ଦଙ୍କ ନେତୃତ୍ୱରେ ପୁଲିସ ଟିମ୍ ପହଞ୍ଚି ତଦନ୍ତ ଚାଲୁ ରଖିଛି । ଖବର ସଂଗ୍ରହରୁ ପ୍ରକାଶ ଯେ, ସୁବାଷ ଅଗ୍ରୱାଲଙ୍କ ସହିତ ତାଙ୍କ ସ୍ତ୍ରୀ, ଝିଅ, ନାତୁଣୀ ଏବଂ ରୋଷେୟା ମହିଳା ଘର ଭିତରେ ଶୋଇଥିବା ସମୟରେ ରାତି ପ୍ରାୟ ୨ ପରେ ଘର ପାଚେରୀ ଡେଇଁ ଘର ପଛପଟ ଦେଇ କବାଡର ଲକର ଭାଙ୍ଗି ଘର ଭିତରକୁ ପଶିଥିଲେ । ଦୃର୍ବୁତ୍ତ ମାନେ ଘର ଭିତରକୁ ପଶିବା ପରେ ପ୍ରଥମେ ରୋଷେୟା ମହିଳାଙ୍କ ସହ ଅନ୍ୟ କୋଠରୀରେ ଶୋଇଥିବା ସୁବାଷ ଓ ତାଙ୍କ ସ୍ତ୍ରୀ, ଝିଅ ଓ ନାତୁଣୀଙ୍କ ହାତକୁ ଦେହ ପଛପଟେ ବାନ୍ଧି ପକାଇବା ସହ ପାଟିକୁ ବନ୍ଦ କରି ଚୁପ୍ ରହିବାକୁ ଦୃର୍ବୁତ୍ତମାନେ କହିଥିଲେ ନହେଲେ ମାରଣାସ୍ତ୍ର ଦେଖାଇ ମାରିବାକୁ ଧମକ ଦେଇଥିଲେ । ପ୍ରାୟ ଏକ ଘଣ୍ଟା ଧରି ଘର ଭିତରେ ଦୃର୍ବୁତ୍ତମାନେ ରହି ଘରର ସମସ୍ତ କୋଠରୀର ଲକର ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ନେଇଛନ୍ତି ବୋଲି ଜଣାପଡିଛି । ଘରେ ଲାଗିଥିବା ସିସି କ୍ୟାମେରା ଉପରେ ଦୁର୍ବୃତ୍ତମାନେ କପଡା ଢାଙ୍କି ଦେଇ ହାର୍ଡଡିସ୍କକୁ ମଧ୍ୟ ନେଇଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ସୁବାଷଙ୍କ ଘରକୁ ପୂର୍ବରୁ ମଧ୍ୟ ୨/୩ ଥର ଦୃର୍ବୁତ୍ତ ମାନେ ପଶି ଡକାୟତି କରିଥିବା ଅଭିଯୋଗ ହୋଇଛି ହେଲେ ତାହାର କୌଣସି ସୁରାକ ପୁଲିସ ଆଜି ପର୍ଯ୍ୟନ୍ତ ପାଇପାରିନାହିଁ । ତେବେ ଏହି ଘଟଣାକୁ ନେଇ ପୁଲିସ ପାଇଁ ଏକ ଚିନ୍ତାର ବିଷୟ ହୋଇଥିବା ବେଳେ ଦୃର୍ବୁତ୍ତମାନଙ୍କୁ ଧରିବାରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

Leave A Reply

Your email address will not be published.