
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳିରୁ ଏସ୍ୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ବିଶିଷ୍ଟ ଯୁବନେତା ସୁନିଲ ଭୋଇଙ୍କୁ ପ୍ରାର୍ଥୀ କରାଯାଇଛି । ଦାଦନ ସମସ୍ୟା, ସ୍ଥାୟୀ ସମାଧାନ, ଦେଓଗାଁ ଚିନିକଳର ପୁନଃରୁଦ୍ଧାର, କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ, ପ୍ରତ୍ୟେକ ବ୍ଲକରେ ସରକାରୀ ମଣ୍ଡି ଓ ଶୀତଳ ଭଣ୍ଡାର ନିର୍ମାଣ, ନିଶା-ଅପରାଧମୂଳକ କାର୍ଯ୍ୟ ତଥା ନାରୀ ନିର୍ଯ୍ୟାତନା ବନ୍ଦ, ସମସ୍ତଙ୍କ ପାଇଁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା, ବେକାରୀ ସମସ୍ୟାର ସମାଧାନ ପାଇଁ ନିଯୁକ୍ତି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା, ଦରଦାମ ବୃଦ୍ଧି ବନ୍ଦ, ପାଚିକା, ଆଶା, ଅଙ୍ଗନୱାଡି ଭଳି ସ୍କିମ ୱାର୍କରମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା, ଶିକ୍ଷା ବିରୋଧି, ଜାତୀୟ ଶିକ୍ଷାନୀତି ୨୦୨୦ ବାତିଲ କରିବା, ବନ୍ଦ ହୋଇଥିବା ସରକାରୀ ସ୍କୁଲକୁ ତୁରନ୍ତ ଖୋଳିବା ଆଦି ଜନସାଧାରଣଙ୍କ ନ୍ୟାର୍ଯ୍ୟ ଦାବିରେ ଦଳ ପକ୍ଷରୁ ଦୀର୍ଘ ଦିନ ଧରି ଆନ୍ଦୋଳନ ଜାରି ରହିଛି ଓ ଏହି ନିର୍ବାଚନକୁ ଏକ ଆନ୍ଦୋଳନ ଭାବେ ଗ୍ରହଣ କରି ପ୍ରତିଦ୍ୱନ୍ଦିତା କରାଯାଉଛି । ଶ୍ରୀ ଭୋଇ ଏହି ଆନ୍ଦୋଳନର ଜଣେ ଆଗଧାଡିର ନେତା ଭାବେ ଦୀର୍ଘ ଦିନ ଧରି ଜନସାଧାରଣଙ୍କ ସୁଖଦୁଃଖ ସହିତ ଜଡିତ ଅଛନ୍ତି । ଏହି ଭଳି ସତ ନିଷ୍ଠାବାନ ଓ ଗଣ ଆନ୍ଦୋଳନର ପରିକ୍ଷିତ ବ୍ୟକ୍ତିମାନଙ୍କୁ ସମଗ୍ର ଦେଶରେ ୧୫୧ଟି ଲୋକସଭା ଆସନରେ ଓ ଆମ ରାଜ୍ୟରେ ୧୭ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ପ୍ରାର୍ଥୀ କରାଯାଇଛି । ଗଣ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ତଥା ନୀତି ଆଦର୍ଶଭିତ୍ତିକ ସୁସ୍ଥ ରାଜନୀତିର ପ୍ରଚାର ପ୍ରସାର ପାଇଁ ସମସ୍ତ ପ୍ରକାର ପ୍ରତିଶୃତି ପ୍ରଲୋଭନ କଳା ଟଙ୍କାର ବନ୍ୟାକୁ ପ୍ରତିହତ କରିବା ତଥା ପୁଞ୍ଜିପତିମାନଙ୍କ ସେବାଦାସ ଦଳମାନଙ୍କୁ ପରାସ୍ତ କରି ସଂଗ୍ରାମୀ ପ୍ରାର୍ଥୀ ସୁନିଲ ଭୋଇଙ୍କୁ ଜୟଯୁକ୍ତ କରିବାକୁ ଦଳ ପକ୍ଷରୁ ନିବେଦନ କରାଯାଉଛି ।