ଶିମିଳିପାଳରେ ରାଷ୍ଟ୍ରପତି : ଲୋକାର୍ପିତ ହେଲା ବିଏସନାଲ୍ ୪ଜି ଟାୱାର

  • ଇଣ୍ଟରନେଟ ସହ ଯୋଡ଼ି ହେଲେ ଶିମିଳିପାଳବାସୀ
  • ଆଦିବାସୀ ମହିଳା ଓ ଯୁବବର୍ଗଙ୍କ ସହିତ ଭାବବିନିମୟ
  • ଜଙ୍ଗଲ ରକ୍ଷାର ପ୍ରକୃତ ଯୋଦ୍ଧା ଆଦିବାସୀ: ରାଷ୍ଟ୍ରପତି

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଗସ୍ତର ତୃତୀୟ ଦିନରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶିମିଳିପାଳକୁ ଯାଇଛନ୍ତି । ସେଠାରେ
ଗୁଡୁଗୁଡ଼ିଆ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ଏକ ସଭାରେ ଯୋଗ ଦେଇଛନ୍ତି । ଏହି ଅବସରରେ ସ୍ଥାନୀୟ ହୋ, ସାନ୍ତାଳୀ, ମୁଣ୍ଡା, ଭୂମିଜ, ବାଥୁଡ଼ି, ଖଡ଼ିଆ ପ୍ରଭୃତି ଆଦିବାସୀମାନେ ହୁଳହୁଳି, କରତାଳି ଦେଇ ଉଚ୍ଚ୍ୱସିତ ସମ୍ବର୍ଦ୍ଧନା ସହକାରେ ସ୍ୱାଗତ କରିଥିଲେ । ସଭା ପ୍ରାରମ୍ଭରେ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥାସଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ରାଷ୍ଟ୍ରପତିଙ୍କ ଶିମିଳିପାଳ ଭିତର ଗୁଡୁଗୁଡ଼ିଆକୁ ଆଗମନ ପାଇଁ ତାଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ । ଆଜିର ସଭାରେ ରାଷ୍ଟ୍ରପତି ମହୋଦୟଙ୍କ କରକମଳରେ ଭରଚୁଏଲ ମୋଡ଼ ଦ୍ୱାରା ରିମୋଟ ଦବାଇ ଶିମିଳିପାଳ ଅଂଚଳରେ ବିଏସଏନଏଲର ୪ଜି ନେଟୱାର୍କ ସେବାର ଲୋକାର୍ପଣ କରିଥିଲେ । ଏହି ଅବସରରେ ଶିମିଳିପାଳବାସୀ ମଧ୍ୟ ନିରନ୍ତର ଇଣ୍ଟରନେଟ ତଥା ନେଟୱାର୍କ ସେବା ସହ ଯୋଡ଼ି ହେଲେ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । ଏହାରି ମାଧ୍ୟମରେ ହାତମୁଠାରେ ସମସ୍ତ ଖବର ଓ ଇଣ୍ଟରନେଟ ସେବା ଅଞ୍ଚଳବାସୀ ପାଇପାରିବା ସହ ଏହି ଅଞ୍ଚଳର ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ବର୍ତ୍ତମାନ ଇଣ୍ଟରନେଟ ଦ୍ୱାରା ଅଧିକ ପଢିବାର ସୁଯୋଗ ପାଇବେ ଏବଂ ଶିକ୍ଷିତ ଯୁବବର୍ଗଙ୍କ ପାଇଁ ମଧ୍ୟ ଏହା ବେଶ ସହାୟକ ହେବ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଶା ବ୍ୟକ୍ତ କରିଛନ୍ତି । ସେହିପରି ଅଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଜଙ୍ଗଲ ସୁରକ୍ଷା ଅଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଆଦିବାସୀଙ୍କ ଭୂମିକାକୁ ଉଚ୍ଚ ପ୍ରଶଂସା କରି ଏହାର ସଂରକ୍ଷଣରେ ନିଜକୁ ଉତ୍ସର୍ଗ କରିବାକୁ ଆହ୍ୱାନ କରିଛନ୍ତି । ଏହା ସହ ଅଧିକ ବୃକ୍ଷରୋପଣ କରି ଜଙ୍ଗଲ ପରିସର ବୃଦ୍ଧି କରିବାକୁ ମଧ୍ୟ ଉପସ୍ଥିତ ଜନସାଧାରଣଙ୍କୁ ଉତ୍ସାହିତ କରିଛନ୍ତି । କାର୍ଯ୍ୟକ୍ରମ ଶେଷରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉପସ୍ଥିତ ଆଦିବାସୀ ମହିଳା ଓ ଯୁବ ବର୍ଗଙ୍କ ସହ ଭାବବିନିମୟ କରିଛନ୍ତି । ବିଶେଷକରି ଛାତ୍ରଛାତ୍ରୀଙ୍କ ସହ ଭାବ ଆଦାନପ୍ରଦାନ ସମୟରେ ଉଚ୍ଚଶିକ୍ଷା କରିବା ସହିତ ବର୍ତ୍ତମାନର ପ୍ରତିଯୋଗିତା ମୂଳକ ସମୟରେ ଶିକ୍ଷା ଲାଭପରେ ନିଜର ପ୍ରଚେଷ୍ଟା ଜାରି ରଖି ରୋଜଗାରକ୍ଷମ ହେବାକୁ ପରାମର୍ଶ ଦେଇଛନ୍ତି । ସଭା ଶେଷରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କମ୍ବଳ ବଣ୍ଟନ କରି ହିତାଧିକାରୀଙ୍କୁ ନିରାମୟ ଜୀବନ କାମନା କରିଛନ୍ତି ।

Leave A Reply

Your email address will not be published.