ବଲାଙ୍ଗିର, (କେପିଏନ୍ଏସ୍) : ଗଳ୍ପ ଭିତରେ ଜୀବନର ବହୁବିଧ ପ୍ରତିଛବି ପାଠକଙ୍କୁ କରେ ଜୀବନାନୁଭୂତି ସଂପନ୍ନ । ଆଧୁନିକ ଜୀବନରେ ସଂସ୍କୃତି, ପରଂପରାକୁ ପରିଚିତ କରାଇବା ଲେଖକୀୟ ଦାୟିତ୍ୱ ବୋଲି ଯେତେବେଳେ ହୃଦବୋଧ ହେବ, ସେତେବେଳେ ଗଳ୍ପରେ ଆମେ ଆମର ଜୀବନକୁ ପ୍ରକୃତ ଅର୍ଥରେ ଅନୁଭବ କରିପାରିବା ବୋଲି ମତ ଦେଇଛନ୍ତି ଅତିଥିମାନେ । ଗାଳ୍ପିକ ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ଗଳ୍ପ ସଂକଳନ ଯୋଗେଶ୍ୱରୀର ଶୁଭ ଲୋକାର୍ପଣ ସମାରୋହ ଅବସରରେ । ବଲାଙ୍ଗିରର ଅଗ୍ରଣୀ ପ୍ରକାଶନ ସଂସ୍ଥା ସ୍ରୋତସ୍ୱତୀ ପ୍ରକାଶନୀ ଦ୍ୱାରା ପ୍ରକାଶିତ ଏହି ଗଳ୍ପ ସଂକଳନର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ବଲାଙ୍ଗିର ସାମ୍ବାଦିକ ଭବନ ସଭାକକ୍ଷରେ ।
ପ୍ରକାଶନୀ ସଂସ୍ଥାର ମୁଖ୍ୟ ସନ୍ଦୀପ କୁମାର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଗାଳ୍ପିକା ଡାକ୍ତର ମଂଜୁବାଳା ପଣ୍ଡା, ଶିକ୍ଷାବିତ୍ ସନାତନ ଠାକୁର, ପ୍ରାଧ୍ୟାପକ ଡକ୍ଟର ଅରୁଣ କୁମାର ନାଏକ ବରେଣ୍ୟ ଅତିଥି ବକ୍ତା ଭାବରେ ଯୋଗଦେଇଥିଲେ । ଅଧ୍ୟାପକ ଡକ୍ଟର ଜଗନ୍ନାଥ ସାହୁ ଗଳ୍ପ ସଂକଳନ ଯୋଗେଶ୍ୱରୀର ଏକ ସମୀକ୍ଷାତ୍ମକ ଉପସ୍ଥାପନା କରିଥିଲେ । କବି ରତ୍ନମୟ ତ୍ରିପାଠୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଗାଳ୍ପିକ ଶୁଭ୍ରାଂଶୁ ଶେଖର ପଣ୍ଡା ତାଙ୍କର ଲେଖକୀୟ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସଭାପତି ଶ୍ରୀ କୁଅଁର ତାଙ୍କର ଭାଷଣରେ ବଲାଙ୍ଗିରରେ ପୁସ୍ତକ ପ୍ରକାଶନ ପାଇଁ ଉଦ୍ୟମ ଓ ଧାରା ସଂପର୍କରେ କହିଥିଲେ । ଶେଷରେ କବୟତ୍ରୀ ସବିତା ମହରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ନିରୋଜ ମିଶ୍ର, ଇପସିତା ମିଶ୍ର, ଜ୍ୟୋତିରେଖା ତ୍ରିପାଠୀ, ଅନନ୍ତ ବିଶ୍ୱଳ, ମଧୁସୂଦନ ନେଗୀ ପ୍ରମୁଖ ସହଯୋଗ କରିଥିଲେ ।