
୨୪ଟି ନୂତନ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ଏବଂ ୨୯୯ଟି ରୂପାନ୍ତରିତ ଅତ୍ୟାଧୁନିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

- ରାଜ୍ୟର ପ୍ରତ୍ୟେକ ବ୍ଲକକୁ ମିଳିବ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସନ୍ଧ୍ୟାରେ ନବୀନ ନିବାସଠାରେ ୨୪ଟି ନୂତନ ମୌଳିକ ଜୀବନ ରକ୍ଷାକାରୀ (Basic Life Support) ଆମ୍ବୁଲାନ୍ସ ଏବଂ ୨୯୯ଟି ରୂପାନ୍ତରିତ ଆତ୍ୟାଧୁନିକ ଜୀବନ ରକ୍ଷାକାରୀ (Advanced Life Support) ଆମ୍ବୁଲାନ୍ସ ରାଜ୍ୟବାସୀଙ୍କ ପାଇଁ ଲୋକାର୍ପିତ କରିଛନ୍ତି । ଏହା ଦ୍ୱାରା ରାଜ୍ୟର ପ୍ରତ୍ୟେକ ବ୍ଲକକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୧୩ ମାର୍ଚ୍ଚ ୫ରେ ରାଜ୍ୟରେ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ୬୨୪ଟି ଆମ୍ବୁଲାନ୍ସ ସାରା ରାଜ୍ୟରେ ୩୦ଟି ଜିଲ୍ଲାର ଲୋକଙ୍କୁ ମାଗଣା ସେବା ଯୋଗାଇ ଦେଇ ଆସୁଅଛି । ଏହି ୬୨୪ଟି ଆମ୍ବୁଲାନ୍ସ ମଧ୍ୟରୁ ୫୧୨ଟି ମୌଳିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଓ ୧୧୨ଟି ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ । ଏହା ସହିତ ୬ଟି ବୋଟ୍ ଆମ୍ବୁଲାନ୍ସ ମଧ୍ୟ କାର୍ଯ୍ୟ କରୁଛି ।
ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ଆହୁରି ଉନ୍ନତି ଆଣିବା ପାଇଁ ୯୨ଟି ନୂଆ ଜରୁରୀକାଳୀନ ଆମ୍ବୁଲାନ୍ସ ପର୍ଯ୍ୟାୟକ୍ରମେ ଯୋଗାଇଦେବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ ୨୪ଟି ନୂଆ ଆମ୍ବୁଲାନ୍ସ କିଣାଯାଇ ସାରିଛି । ଏଥିପାଇଁ ୯.୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାଛଡା ୨୯୯ଟି ମୌଳିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସକୁ ରୂପାନ୍ତରିତ କରାଯାଇ ଅତ୍ୟାଧୁନିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସରେ ପରିଣତ (BLS converted to ALS) କରାଯାଇ ଗତକାଲିଠାରୁ କାର୍ଯ୍ୟକାରୀ କରାଯାଇଛି । ଏହି ଉନ୍ନତିକରଣ ପରେ ରାଜ୍ୟରେ ମୋଟ ଅତ୍ୟାଧୁନିକ ଜାବନରକ୍ଷାକାରୀ ଆମ୍ବୁଲାନ୍ସ ସଂଖ୍ୟା ୪୧୧ରେ ପହଞ୍ଚିଛି । ଏହି ଉନ୍ନତିକରଣ ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ମୋଟ ୫୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହା ଦ୍ୱାରା ପ୍ରତ୍ୟେକ ବ୍ଲକରେ ସର୍ବନିମ୍ନ ଗୋଟିଏ ଅତ୍ୟାଧୁନିକ ଜାବନରକ୍ଷାକାରୀ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇପାରିବ ।
ଏହା ବ୍ୟତିତ ଗର୍ଭବତୀ ମା’ ଓ ଅସୁସ୍ଥ ଶିଶୁଙ୍କୁ ଡାକ୍ତରଖାନା ନେବା ଆଣିବା ନିମନ୍ତେ ୫୦୦ଟି ଜନନୀ ଏକ୍ସପ୍ରେସ୍ ଆମ୍ବୁଲାନ୍ସ ମଧ୍ୟ କାର୍ଯ୍ୟ କରୁଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୮୮ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ବିଭିନ୍ନ ଆମ୍ବୁଲାନ୍ସ ସେବା ଦ୍ୱାରା ଉପକୃତ ହୋଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଭି. କେ. ପାଣ୍ଡିଆନ, ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।