ଭୁବନେଶ୍ୱର, (କେପିଏନ୍ଏସ୍) : ସମାଜରୁ ଦୋଷ ଦୁର୍ବଳତାକୁ ଦୂରୀକରଣ କରିବାର ଦାୟିତ୍ଵ ଲେଖକମାନଙ୍କୁ ନେବାକୁ ପଡ଼ିବ । ତାଙ୍କ କଲମ ମୁନ ଯେତେ ଅଧିକ ଶାଣିତ ହୋଇପାରିବ ସମାଜରୁ କଳୁଷ ସେହି ପରିମାଣରେ ଦୂର ହେବ ଏବଂ ଜନ ଚେତନା ସୃଷ୍ଟି ହୋଇପାରିବ ବୋଲି ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ୪୪ତମ ଅଧିବେଶନରେ ବିଶିଷ୍ଟ ସାହିତ୍ୟିକମାନେ ମତବ୍ୟକ୍ତ କରିଛନ୍ତି । କେନ୍ଦ୍ର ବାଲ୍-ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଡକ୍ଟର ଦିଗରାଜ ବ୍ରହ୍ମାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ଡ. ପ୍ରତିମାରାଣୀ ମିଶ୍ର ଷଡଙ୍ଗୀଙ୍କର ‘ସ୍ଵାର୍ଗାଦପୀ ଗରୀୟସୀ’ (ନାଟକ), ଓ ‘ତିନୋଟି ଉପନ୍ୟାସିକା’, କବି ଶାନ୍ତିଲତା ପଳାଇଙ୍କର କବିତା ପୁସ୍ତକ ‘ସ୍ମୃତିର ପ୍ରତିଧ୍ୱନି’, ଏବଂ ଗାଳ୍ପିକା ପ୍ରଭାତୀ ଜେନାଙ୍କର କ୍ଷୁଦ୍ରଗଳ୍ପ ସଂକଳନ ‘ଅନୁରାଗର ଆକାଶ’ ଲୋକାର୍ପିତ ହୋଇଥିଲା । ପୁସ୍ତକ ଗୁଡିକୁ ସମୀକ୍ଷା କରିଥିଲେ ପ୍ର. ଅଶୋକ କୁମାର ମହାନ୍ତି, ପ୍ର. ରମେଶ ଚନ୍ଦ୍ର ମଲ୍ଲିକ, ଗାଳ୍ପିକ ରାଜ୍ୟବର୍ଦ୍ଧନ ମହାପାତ୍ର ଏବଂ ପ୍ର. ସୁନନ୍ଦା ତ୍ରିପାଠୀ । ଅନୁଷ୍ଠାନର ଲେଖକମାନେ ଲେଖାକୀୟ ଅଭିଭାଷଣ ପ୍ରଦାନ ସହ ଅନୁଷ୍ଠାନର ସମ୍ପାଦକ ବସନ୍ତ ମାଝି ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । କବି ମନୋରମା ମିଶ୍ରଙ୍କ ସଭାପତିତ୍ଵରେ ଏବଂ ବିଶ୍ଵାମିତ୍ରା ମିଶ୍ର, ପୂର୍ଣ୍ଣମାସୀ ଶତପଥୀଙ୍କ ସଂଯୋଜନାରେ ଅର୍ଦ୍ଧଶତାଧିକ କବି ନିଜର କବିତା ପାଠ କରିଥିଲେ । ଅଧିବେଶନ ପ୍ରାରମ୍ଭରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଫୋଟୋଚିତ୍ରରେ ଉପସ୍ଥିତ କବି ଓ ସାହିତ୍ୟାନୁରାଗୀମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସମଗ୍ର ଅନୁଷ୍ଠାନକୁ ସଂଯୋଜନା କରିଥିଲେ ଡ. ରଶ୍ମି ଦାସ ଓ ଧନ୍ୟବାଦ ଅର୍ପଣ କରିଥିଲେ ସ୍ଵର୍ଣ୍ଣଲତା ମହାପାତ୍ର । ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ସମ୍ପାଦକ ପ୍ରଦୀପ ପାଣି ସ୍ଵାଗତ ଅଭିଭାଷଣ ସହ ଶୁଭେଚ୍ଛା ଜ୍ଞାପନ କରିଥିଲେ ।