ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ତତ୍କାଳୀନ ରାଷ୍ଟ୍ରପତି ତଥା ଭାରତରତ୍ନ ଡ଼ଃ. ଏ.ପି.ଜେ. ଅବଦୁଲ କାଲାମ୍ଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଏକ ସବୁଜିମାଭରା ଉଦ୍ୟାନ ପ୍ଲାନେଟସନ ସହ ଏକ ପ୍ରତିମୂର୍ତ୍ତି ରବିବାର ମଧ୍ୟାହ୍ନରେ ଲୋକର୍ପଣ ହୋଇଯାଇଛି । ଛତ୍ରପୁର ଇଣ୍ଡିଆନ ବ୍ୟାଙ୍କ ସୌଜନ୍ୟରେ ଏହି ସବୁ ବୃକ୍ଷ-ଚାରା ରୋପଣ କାର୍ଯ୍ୟ ସମ୍ଭବ ହୋଇପାରିଛି । ସ୍ୱର୍ଗୀୟ ଆତ୍ମନ ଭାରତରତ୍ନ ଡ଼ଃ. ଏ.ପି.ଜେ. ଅବଦୁଲ କାଲାମ୍ଙ୍କ ପବିତ୍ର ୯୨ତମ ଜନ୍ମ ଦିବସ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ସହ ତାଙ୍କରି ଜୟନ୍ତୀ ଦିବସରେ ଜୟଗାନ କରାଯାଇଛି । ଏହି ଅବସରରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ମୁଖ୍ୟଅତିଥି ଭାବେ ଯୋଗଦେଇ ତାଙ୍କରି କର କମଳରେ ନୂତନ ଉଦ୍ୟାନ ମଧ୍ୟରେ ଡ଼ଃ. କାଲାମଙ୍କ ପ୍ରତିମୂର୍ତ୍ତିର ଶୁଭ ଉନ୍ମୋଚନ ହୋଇଯାଇଛି । ଛତ୍ରପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ପରିସରରେ ବିଭିନ୍ନ ଶିକ୍ଷାୟତନର ବିବିଧ ଭିତ୍ତିଭୂମି ଓ ବିଭିନ୍ନ ଶୈକ୍ଷିକ ବାତାବରଣ ମଧ୍ୟରେ ଶିକ୍ଷକ-ପ୍ରଶିକ୍ଷକମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପମାନ ମୁଖ୍ୟ ଅତିଥି ବୁଲି ଦେଖି ଆଚମ୍ବିତ ହୋଇ ଅନୁଷ୍ଠାନର ଭୂୟସୀ ପ୍ରଶଂସା କରିଛନ୍ତି । ଉଦ୍ୟମ ଜାରୀ ରଖିଥିବା ଅଧ୍ୟକ୍ଷ ଇଂ. ପ୍ରିୟବ୍ରତ ପଣ୍ଡାଙ୍କୁ ଗଞ୍ଜାମ ଏସ୍ପି ସାଧୁବାଦ ଜଣାଇଥିଲେ । ଗଞ୍ଜାମ ଏସ୍ପି ଶ୍ରୀ ମୀନାଙ୍କ ଯୋଗଦାନ ନେଇ ଶିକ୍ଷାୟତନ ପରିସରରେ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଜମି ଉଠିଥିବା ଦେଖାଯାଇଥିଲା ।