ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୮୩ଟି ରୂପାନ୍ତରୀଣ ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ୫-ଟି ଯୋଜନା ଅନ୍ତର୍ଭୁକ୍ତ ସ୍ମାର୍ଟ କ୍ଲାସ ମାଧ୍ୟମରେ ଉନ୍ନତ ପ୍ରଣାଳୀରେ ବିଜ୍ଞାନ ଓ ପ୍ରଯୁକ୍ତି ଶିକ୍ଷାଦାନ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୮୩ଟି ରୂପାନ୍ତରୀଣ ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗତକାଲି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରଠାରେ ଲୋକାର୍ପଣ ହୋଇଯାଇଛି । ଛତ୍ରପୁର ଅନସ୍ଲୋ-ସରକାରୀ ହାଇସ୍କୁଲ ପରିସରରେ ଏକ ମେଗା-ଅଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ବିଶାଳ ଭବ୍ୟ-ସମାରୋହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଦ୍ୱାରା ଲୋକାର୍ପଣ ହୋଇଥିବା ୫-ଟି ଯୋଜନା ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତରୀଣ କାର୍ଯ୍ୟକ୍ରମର ମହତ୍ତ୍ୱକୁ ପ୍ରତିପାଦିତ କରି ରାଜ୍ୟରେ ସମସ୍ତ ସରକାରୀ ହାଇସ୍କୁଲମାନଙ୍କରେ ଆଧୂନିକ ପ୍ରଣାଳୀର ଶିକ୍ଷାଦାନ ସୁବିଧା ଉପଲବ୍ଧ କରାଇପାରିଥିବା ଏହି ଅଭିନବ ପ୍ରୟାସ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିୟାନଙ୍କୁ ସାଧୁବାଦ ଏବଂ କୃତଜ୍ଞତା ଜଣାଇଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛତ୍ରପୁର ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଭାଗ୍ୟଲକ୍ଷ୍ମୀ ପ୍ରଧାନ ନିଜର ଅଭିମତ ସ୍ୱରୂପ ବିଦ୍ୟାଳୟ ରୂପାନ୍ତରିତ ଶିକ୍ଷାର ଗୁଣାତ୍ମକ ମାନର ଅଭିନ୍ନ ରୁଚି ସମ୍ପର୍କରେ ଦୃଷ୍ଟାନ୍ତ ପ୍ରଦାନ କରିଥିଲେ । ଅଭାସୀ ମାଧ୍ୟମରେ ୧୮୫୫ ମସିହାରେ ପ୍ରତିଷ୍ଠିତ ଛତ୍ରପୁର ଅନସ୍ଲୋ ହସିସ୍କୁଲର ପୂର୍ବତନ ଛାତ୍ର ତଥା ଅନୁଗୁଳ ଜିଲ୍ଲା ତାଳଚେର ସ୍ଥ ଡ଼ିଆଇଜି ସାର୍ଥକ ଷଡଙ୍ଗୀ ଅଭାସୀ ମାଧ୍ୟମରେ ସେ ନିଜେ ଏହି ସରକାରୀ ବିଦ୍ୟାଳୟରେ ପାଠପଢ଼ି ନିଜକୁ ଗୋରବାନିତ୍ୱ ମନେ କରି ନିଜେ ଗର୍ବିତ ବୋଲି ମତପ୍ରଦାନ କରିଥିଲେ । ସଭା-ମଞ୍ଚରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନାମ ପଲେଇ, ଛତ୍ରପୁର ବିଧାୟକ ସୁବାସଚନ୍ଦ୍ର ବେହେରା, କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଆସ୍କା ବିଧାୟିକା ମଞ୍ଜୁଳା ସ୍ୱାଇଁ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବିଧାୟକ ଶ୍ରୀକାନ୍ତ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଗଞ୍ଜାମ ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ଏହି କାର୍ଯ୍ୟକ୍ରମର ସହପରିଚାଳନା କରିଥିଲେ । ଏହି ମେଗା ସମାବେଶରେ ବହୁ ସ୍କୁଲ ଛାତ୍ର ଛାତ୍ରୀ, ଶିକ୍ଷା ବିଭାଗର ଉଚ୍ଚପଦାଧିକାରୀ, ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀ, ପୋଲିସ ପ୍ରଶାସନ, ବହୁ ଗଣ୍ୟମାନ୍ୟ ଅତିଥି, ବ୍ୟକ୍ତିବୃନ୍ଦ ଯୋଗ ଦେଇଥିଲେ । ସ୍ମାର୍ଟକ୍ଲାସ ରୁମ, ଇ-ଲାଇବ୍ରେରୀ, ବିଜ୍ଞାନାଗାର, ସ୍କୁଲ ପରିସରର ସୌନ୍ଦର୍ଯ୍ୟକରଣ ଆଦି ଲୋକାର୍ପିତ ହୋଇଛି ।

Leave A Reply

Your email address will not be published.