ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ୱାରା ନିର୍ମିତ କଳାହାଣ୍ଡି ଜିଲ୍ଲାର ୨ଟି ପ୍ରକଳ୍ପର ଲୋକାର୍ପଣ ସହ ୧ଟି ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ
କଳାହାଣ୍ଡି, (ପି.କେ. ସାହୁ) : ଆଜି ଭାବନୀପାଟଣା ଓସ୍ୱାନ୍ ହଲ୍ ଠାରେ ଆୟୋଜିତ ଭର୍ଚୁଆଲ୍ କନଫରେନ୍ସ କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟା ୫.୩୦ ମି. ସମୟରେ ଭବାନୀପାଟଣା ସହର ସ୍ଥିତ ୨.୫ କୋଟି ଟଙ୍କାରେ ନିର୍ମିତ ଟାଉନ ହଲ୍, ଜୁନାଗଡ ସ୍ଥିତ ୨.୫ କୋଟି ଟଙ୍କାରେ ନିର୍ମିତ ବିଜୁ ପଟ୍ଟନାୟକ କ୍ରୀଡ଼ାଙ୍ଗନର ଲୋକାର୍ପଣ ସହ ବିଶ୍ଵନାଥପୁର ଠାରେ ୩୯ ଲକ୍ଷ ଟଙ୍କାରେ ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ । ଓସ୍ଵାନ୍ ହଲ୍ରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର, ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା, ଜୁନାଗଡ ଏନ୍ଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ତଥା ଧର୍ମଗଡ ଉପଜିଲ୍ଲାପାଳ ବେଦ ଭୂଷଣ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାର ୯ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ସହ ୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ । ଏହା ସହିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଲୋଗୋ ଉନ୍ମୋଚନ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପର୍ଯ୍ୟାଲୋଚନା ନିମନ୍ତେ ଏକ ମନିଟରିଂ ଆପ୍ଲିକେସନର ଶୁଭାରମ୍ଭ କଲେ । ସୂଚନାଯୋଗ୍ୟ ଯେ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ୱାରା ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଖେଳ ପଡିଆର ଉନ୍ନତିକରଣ, କଳା ସଂସ୍କୃତି ଓ କ୍ରୀଡାର ବିକାଶ, ଗମନାଗମନ, ରାସ୍ତା ନିର୍ମାଣ ଆଦି ଅନେକ କାର୍ଯ୍ୟ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ୨୬୨ କୋଟି ଟଙ୍କାର ଅନୁଦାନ ମିଳିଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭବାନୀପାଟଣା ବିଧାୟକ ପ୍ରତିନିଧି, ଅଧିକ୍ଷକ ଯନ୍ତ୍ରୀ ଆର୍ଏଣ୍ଡବି, ଡିଆଇପିଆର୍ଓ, ଡିଏସ୍ଡବ୍ଲୁଓ, ଇଓ ମ୍ୟୁନିସିପାଲଟି, ଭବାନୀପାଟଣା, ଇଓ, ଏନ୍ଏସି, ଜୁନାଗଡ, ବିଡିଓ ଜୁନାଗଡ, ବିଡିଓ ଲାଞ୍ଜିଗଡ ଉପସ୍ଥିତ ଥିଲେ । ହଲ୍ କାର୍ଯ୍ୟକ୍ରମ ପରିଚାଳନା ଡିଡି, ପ୍ଲାନିଂ ଶ୍ରୀକାନ୍ତ ଦଳେଇ କରିଥିଲେ ।