ରାଉରକେଲା, (ସସ୍ମିତା ପ୍ରଧାନ) : ୩୮ତମ ଲୋକନାଟକ ମହୋତ୍ସବ ଆସନ୍ତା ଜାନୁଆରୀ ମାସ ୪ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । କଲଚରାଲ ଏକାଡେମୀ ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ପଶୁପତିନାଥ ଚାଟାର୍ଜୀ, ପ୍ରାକ୍ତନ ସଭାପତି ଡ. ପ୍ରଭାତ କୁମାର ମଲ୍ଲିକ, ମହୋତ୍ସବର ସମ୍ପାଦକ ଅକ୍ଷୟ କୁମାର ସାମଲ ଓ ଏକତ୍ର ରାଉରକେଲାର ସାଧାରଣ ସମ୍ପାଦକ ବିଜୟ କୁମାର ପାତ୍ର ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ଏହି ମହୋତ୍ସବ ଆସନ୍ତା ୪ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଯେଉଁଥିରେ ୬ଟି ନାଟକ ପ୍ରତିଯୋଗିତା ମୂଳକ ମଞ୍ଚସ୍ଥ କରାଯାଇ ୧୦ ତାରିଖ ଦିନ ପୁରସ୍କାର ବିତରଣ ଉତ୍ସବ କରାଯିବ । ସୂଚନା ଅନୁଯାୟୀ ୪ ତାରିଖ ଦିନ ରାଉରକେଲା ଉତ୍କଳୀ ସାଂସ୍କୃତିକ ଶିଳ୍ପୀ ତରଫରୁ କମ୍ପାନୀ ସରକାର, ୫ ତାରିଖ ଦିନ ରାଉରକେଲାର ପରିଚୟ ତରଫରୁ ହୁଲ୍, ୬ ତାରିଖ ଦିନ ଯାଜପୁର ମଙ୍ଗଳପୁରର କଳାବିକାଶ କେନ୍ଦ୍ର ତରଫରୁ ରଣ କୁହୁଡି, ୭ ତାରିଖ ଦିନ ବେଲପାହାଡ଼ ମିରର ଥିଏଟର ତରଫରୁ ଭୋକର ଅନେକ ରଙ୍ଗ, ୮ ତାରିଖ ଦିନ ଭୁବନେଶ୍ଵର ନୂଆ ପରିଚୟ ତରଫରୁ ନୂଆ ସକାଳର ଅପେକ୍ଷାରେ, ୯ ତାରିଖ ଦିନ ଖରିଆରର ଖରିଆର ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସୁଆଦ୍ ସୁଆଦ୍ ବୋଲି ଖାଇଲୁ କେନ୍ଦୁ ଓ ୧୦ ତାରିଖ ଦିନ ରାଉରକେଲାର ରଙ୍ଗକର୍ମୀ ଦ୍ଵାରା ପ୍ରଦର୍ଶନୀ ମୂଳକ ନାଟକ ମାସୁଲ ମଞ୍ଚସ୍ଥ ହେବା ସଂଗେସଂଗେ ପୁରସ୍କାର ବିତରଣ କରାଯିବ । ଏହି ଅବସରରେ ବାହାରୁ ଆସୁଥିବା ନାଟ୍ୟ ଅନୁଷ୍ଠାନକୁ ୧୨ ହଜାର ଟଙ୍କା, ରାଉରକେଲାର ନାଟ୍ୟ ଅନୁଷ୍ଠାନକୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ୧୯୭୬ରୁ ଆରମ୍ଭ ହୋଇଥିବ ଏହି ନାଟକ ନିରବଚ୍ଛିନ୍ନ ଭାବେ ୨୫ ବର୍ଷ ଓ ପରେ କିଛିଦିନ ସାମୟିକ ବନ୍ଦ ପରେ ପୁଣି ୨୦୧୫ ମସିହାରୁ ଏପର୍ଯ୍ୟନ୍ତ ନାଟକ ମହୋତ୍ସବ ଚାଲିଆସିଛି । ଏହି ଅବସରରେ ମଞ୍ଚାସୀନ କର୍ମକର୍ତ୍ତାମାନେ ନାଟକର ଆଭିମୁଖ୍ୟ, ୨୫୦ରୁ ଉର୍ଦ୍ଧ୍ବ ନାଟକ ମଞ୍ଚସ୍ଥ, ୭୦୦ରୁ ଉର୍ଦ୍ଧ୍ବ ନାଟକ ତଥା ଅନେକ ନାଟ୍ୟକାର, ମଞ୍ଚ କଳାକାର, ନିର୍ଦ୍ଦେଶକ, ଟେକନିସିଆନ ଏକାଡେମୀ ସୃଷ୍ଟି କରି ପାରିଛି ବୋଲି କହିଥିଲେ । ଏହି ନାଟକ ମହୋତ୍ସବରେ ବହୁ ସଂଖ୍ୟାରେ ଜନସାଧାରଣ ତଥା ନାଟ୍ୟପ୍ରେମୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ବଳରାମ ରାଉଳ, ଗୋକୁଳାନନ୍ଦ ଦାଶ, ଅକ୍ଷୟ ପଣ୍ଡା, ବିଚିତ୍ରାନନ୍ଦ ସାହୁ, ସୁକାନ୍ତ ମହାପାତ୍ର, କାଶୀନାଥ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Next Post