ଶାନ୍ତିଲତା ସିଂ ଭୋଇଙ୍କ ବିୟୋଗରେ ଶୋକସଭା

ଲୋଇସିଂହା, (କେପିଏନ୍‌ଏସ୍‌) : ଆଦିବାସୀ ଭବନ ଠାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ବଲାଙ୍ଗୀର ତରଫରୁ ଭୁତପୂର୍ବ ସଇଁନ୍ତଲା ବିଧାୟକ ରମେଶଚନ୍ଦ୍ର ସିଂଭୋଇଙ୍କ ଜ୍ୟେଷ୍ଠ ପୁତ୍ରବଧୂ ତଥା ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ସଭାପତି ତଥା ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଙ୍ଘର ଉପସଭାପତି ବ୍ରଜକିଶୋର ସିଂଭୋଇଙ୍କ ଧର୍ମପତ୍ନୀ ସ୍ୱର୍ଗତ ଶାନ୍ତିଲତା ସିଂଭୋଇଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗୀର ଜ଼ିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶୋକସଭାରେ ଶ୍ରୀମତୀ ସିଂଭୋଇଙ୍କ ଫଟୋ ଚିତ୍ରରେ ସଙ୍ଘର କର୍ମକର୍ତ୍ତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଅମର ଆତ୍ମାର ସତଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ଆଦିବାସୀ ନେତାମାନେ ଶ୍ରୀମତୀ ସିଂଭୋଇଙ୍କ ସ୍ମୃତିଚାରଣ କରିଥିଲେ । ଆଦିବାସୀ କନ୍ଧ ସମାଜରେ ଶ୍ରୀମତୀ ସିଂଭୋଇ ଆଇନ ଡିଗ୍ରୀ ଧାରୀ ଉଚ୍ଚ ଶିକ୍ଷିତା ମହିଳା ଭାବେ ସୁନାମ ଅର୍ଜନ କରିବା ସହିତ ସଇଁ‌ନ୍ତଲା ଗ୍ରାମପଂଚାୟତର ସରପଞ୍ଚ ଭାବେ ୨୦୦୨ରୁ ୨୦୦୭ ମଧ୍ୟରେ ବିଭିନ୍ନ ବିକାଶ ମୂଳକ ତଥା ଜନହିତକର କାର୍ୟ୍ୟକ୍ରମ ହାତକୁ ନେଇ ଲୋକଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ । ନିଜେ ଆଇନ ଡିଗ୍ରୀ ପଢି ଥିଲେ ବୋଲି ତାଙ୍କ ପୁଅ ଝିଅଙ୍କୁ ମଧ୍ୟ ଉଚ୍ଚଶିକ୍ଷା ସହିତ ଆଇନ ଶିକ୍ଷା ପାଇଁ ପ୍ରେରଣା ଯୋଗାଇ ସମାଜରେ ଏକ ଆଦର୍ଶ ନାରୀର ଭୂମିକା ନିଭାଇଥିଲେ । ଆଦିବାସୀ ମାନଙ୍କ ଉଚ୍ଚ ଶିକ୍ଷା ପାଇଁ ତାଙ୍କର ଅବଦାନ ଯଥେଷ୍ଟ ଥିଲା । ସ୍ୱର୍ଗତ ଶାନ୍ତିଲତାଙ୍କ ପ୍ରେରଣା ଏବଂ ସହଯୋଗରେ ସ୍ୱାମୀ ବ୍ରଜକିଶୋର ସିଂଭୋଇ ସମାଜ ସେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିଛନ୍ତି । ତାଙ୍କର ବିୟୋଗରେ ଆଦିବାସୀ ସମାଜ ଜଣେ ସମାଜସେବୀ, ଆଦିବାସୀ ପ୍ରେମୀ, ମାନବବାଦୀ ମହିୟସୀ ମହିଳାଙ୍କୁ ହରାଇଥିବା ନେଇ ମତପ୍ରକାଶ ପାଇଥିଲା । ଏଥିରେ ସମାଜର ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇ, ରାଜ୍ୟ ଉପସଭାପତି ବିନୋଦ ବିହାରୀ ମଲ୍ଲିକ, ଜିଲ୍ଲା ସଭ୍ୟ କେଶରୀ କୁଅଁର, ପ୍ରିତିଚନ୍ଦ୍ର ରାଏ, ଲୋଇସିଂହା ମଣ୍ଡଳର ସଭାପତି ଦଶରଥ ଛତ୍ରିଆ, ମହାସଚିବ କୁମାର ସଲତର, ଲଳିତ ମୋହନ ପୁଟା, ଚନ୍ଦ୍ର ଶେଖର କୁଅଁର, ଭୁବନେଶ୍ୱର ଧରୁଆ, ରୁକ୍ମଣ ଧରୁଆ, ଲକ୍ଷ୍ମଣ ଧରୁଆ, ଦେବେନ୍ଦ୍ର ପୁଟାଙ୍କ ସମେତ ଲୋଇସିଂହା ମଣ୍ଡଳର ସମସ୍ତ ନଗର ସଭାପତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.