jayashree

ଲୋଭର କରୁଣ ପରିଣତି : ଠକେଇରେ ବୁଡିଲା ୧୦ ଲକ୍ଷ ଟଙ୍କା, ଆତ୍ମହତ୍ୟା କଲେ ଯୁବକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁଇ ତିନି ଗୁଣ ଅର୍ଥ ପାଇବା ଆଶାରେ ସେଆର୍ ମାର୍କେଟରେ ଅର୍ଥ ଲଗାଇଥିଲେ । ଦୁଇ ଗୁଣ ଅର୍ଥ ଆସିବା ବଦଳରେ ଆସିଲା ଏକ ଜାଲି ଚେକ । ଏକା ଥରକୁ ଦଶ ଲକ୍ଷ ଟଙ୍କା ଠକେଇର ହେଲେ ଶିକାର । ଅର୍ଥ ସମୁଳ ବୁଡି ଯିବା ଜାଣିବା ପରେ କୌଣସି ବାଟ ନପାଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବା ଭଳି ଏକ ଅଭାବନୀୟ ଘଟଣା ଆଜି ସାମନାକୁ ଆସିଛି ।

ସୂଚନା ଅନୁସାରେ ସିନ୍ଧେକେଲା ଥାନା ଅନ୍ତର୍ଗତ ଗନ୍ଧଲା ଗାଁର ସରଳ ଯୁବକ ବିନୋଦ । ତାଙ୍କୁ ସେଆର ମାର୍କେଟରେ ପଇସା ଲଗାଇଲେ ଦୁଇରୁ ତିନି ଗୁଣ ପର୍ଯ୍ୟନ୍ତ ଅର୍ଥଲାଭ ହେବା ଲୋଭ ଦେଖାଇଥିଲେ ଦିଲ୍ଲୀର ଓମ ପ୍ରକାଶ ନାମକ ଜଣେ ଯୁବକ । ଓମ୍‌ ପ୍ରକାଶଙ୍କ ଲୋଭ ଜାଲରେ ପଡି ବିନୋଦ ନିଜ ପାଖରେ ସଞ୍ଚିଥିବା ୩ ଲକ୍ଷ ଟଙ୍କାର କଷ୍ଟ ଅର୍ଜିତ ଧନ ଓ ୭ ଲକ୍ଷ ଟଙ୍କା ଧାର କରି ସମୁଦାୟ ୧୦ ଲକ୍ଷ ଟଙ୍କା ବିନୋଦ ପାଖକୁ ପଠାଇଥିଲେ । ସପ୍ତାହକୁ ଦେଢ ଲକ୍ଷ ପାଇବା ବଦଳରେ କିଛି ଦିନ ପରେ ମିଳିଲା ଏକ ଜାଲି ଚେକ । ଟିଟିଲାଗଡ ବ୍ୟାଙ୍କରେ ଯାଇ ଜମା କରିବାରୁ ଚେକ ବାଉନ୍ସ ହୋଇଥିଲା । ପରେ ଓମ୍‌ ପ୍ରକାଶକୁ ଫୋନ କରିବାରୁ ଫୋନ ମଧ୍ୟ ବନ୍ଦ ରହିଥିଲା । ଠକେଇର ଶିକାର ହୋଇଥିବା ଜାଣି, ଧାର ପଇସା ସୁଝିବା ଚିନ୍ତା ଘାରିଥିଲା ହତାଶ ବିନୋଦଙ୍କୁ । ଶେଷରେ କୌଣସି ରାସ୍ତା ନପାଇ ବିଷ ପାନ କରି ଜୀବନ ହାରିବା ଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛନ୍ତି ପରିବାର ବର୍ଗ । ମଙ୍ଗଳବାର ସଂନ୍ଧ୍ୟାରେ ଘରକୁ ଫେରି ବିଷ ପିଇ ଦେଇ ଥିବା କହିଥିଲେ ବିନୋଦ । ପରିବାର ଲୋକେ ପ୍ରଥମେ ଟିଟିଲାଗଡ ଓ ପରେ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ବିନୋଦଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ଶବ ବ୍ୟବଛେଦ ପରେ ତଦନ୍ତ ଜାରି ରଖିଥିବା ବେଳେ ପରିବାର ବର୍ଗ ଠକ ଓମ୍‌ ପ୍ରକାଶକୁ ଗିରଫ କରିବା ସହ ସମସ୍ତ ଟଙ୍କା ଫେରସ୍ତ ଆଣିବା ପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.