ଅବ୍ୟବସ୍ଥାରେ ଆରଏନସିଂଦେଓ ଷ୍ପୋର୍ଟସ କମପ୍ଲେକ୍ସର ଇଣ୍ଡୋରଷ୍ଟାଡିୟମ : ଲାଇଟ ବି ଜଳୁନି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଶାସ୍ତ୍ରୀନଗରପଡାରେ ଥିବା ରାଜେନ୍ଦ୍ରନାରାୟଣ ସ୍ପୋର୍ଟସ କମ୍ପେକ୍ସରେ ଥିବା ଇଣ୍ଡୋରଷ୍ଟାଡିୟମରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ଜିଲ୍ଲା କ୍ରୀଡାବିଭାଗ ପକ୍ଷରୁ ପରିଚାଳିତ ଏହି ଇଣ୍ଡୋରରେ ଏତେ ଅବ୍ୟବସ୍ଥା ଯେ, ଏଠାରେ ଲାଇଟମାନେ ମଧ୍ୟ ଆଉ ଜଳୁନାହିଁ । ସହରର ବିଭିନ୍ନ ବୟସର ବ୍ୟାଡିମିଣ୍ଟନ ଖେଳାଳୀମାନେ କ୍ରୀଡାବିଭାଗର ପୋର୍ଟାଲରେ ପଞ୍ଜିକୃତ ହୋଇ ଏଠାରେ ଖେଳୁଛନ୍ତି । ପ୍ରତ୍ୟେକମାସରେ ସେମାନେ ଫି ମଧ୍ୟ ଦାଖଳ କରୁଛନ୍ତି । କିନ୍ତୁ ଏଠାରେ କୌଣସି ବ୍ୟବସ୍ଥା କରାଯାଉନାହିଁ । ଗତ କିଛିମାସ ହେଲା ଜଣେ ଓଏଏସ ଅଫିସରଙ୍କୁ ଜିଲ୍ଲା କ୍ରୀଡା ଅଧିକାରୀ ଭାବରେ ଜିଲ୍ଲାପାଳ ଦାୟିତ୍ୱ ଦେଇଛନ୍ତି । ପୂର୍ବରୁ ଫୁଟବଲ କୋଚ ସ୍ୱାଧିନ ବାଗ ଜିଲ୍ଲା କ୍ରୀଡା ଅଧିକାରୀ ଦାୟିତ୍ୱରେ ରହିଥିଲେ । ସେ ସ୍ପୋର୍ଟସ ହଷ୍ଟେଲ କଥା ସହିତ ବିଭାଗର ଦାୟୀତ୍ୱ ବୁଝୁଥିଲେ । କିନ୍ତୁ ତାଙ୍କ ବଦଳରେ ଜିଲ୍ଲାପାଳ ଜଣେ ଆଶିଷ୍ଟାଣ୍ଟ କଲେକ୍ଟର ସତ୍ୟପ୍ରକାଶ ମିଞ୍ଜଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । କିନ୍ତୁ କ୍ରୀଡାବିଭାଗକୁ ଚଳାଇବାର ଅଭିଜ୍ଞତା ନଥିବାରୁ ଷ୍ପୋର୍ଟସ କମ୍ପେକ୍ସ ପରିଚାଳନାରେ ସେ ଫେଲ ମାରୁଛନ୍ତି ବୋଲି ଅଭିଯୋଗ ହେଉଛି । ଇଣ୍ଡୋର ଭିତରେ ଓ ବାହାରେ ମାସାଧିକ କାଳ ଲାଇଟ ଜଳୁନାହିଁ । ଫଳରେ ବ୍ୟାଡମିଣ୍ଟନ ଖେଳାଳୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନଲାଇନରେ ଫି ଭରୁଥିଲେ ହେଁ ଏପଟେ ଅବ୍ୟବସ୍ଥା କାରଣରୁ ଖେଳିବାରେ ଅସୁବିଧା ହେଉଛି ବୋଲି ଖେଳାଳୀମାନେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ନେଇ ଜିଲ୍ଲା କ୍ରୀଡାଅଧିକାରୀ ସତ୍ୟପ୍ରକାଶ ମିଞ୍ଜଙ୍କୁ ଫୋନକରି ପଚାରିବାରୁ ଏହାର ମେଣ୍ଟେନାନ୍ସ ପାଇଁ ଆମେ ପୂର୍ତ୍ତବିଭାଗକୁ ଚିଠିକରିଛୁ , ସେମାନେ ଲାଇଟଗୁଡିକ ଲଗାଇବେ ବୋଲି କହିଛନ୍ତି । କିନ୍ତୁ ପୂର୍ତ୍ତବିଭାଗ ଅଧିକ୍ଷଣଯନ୍ତ୍ରୀ ଇଂ.ଆଶୁତୋଷ ଜେନାଙ୍କୁ ପଚାରିବାରୁ ସେ ଚିଠି ପାଇନାହାଁନ୍ତ ବୋଲି କହିବା ସହିତ କ୍ରୀଡାବିଭାଗ ଟଙ୍କା ଜମାକଲେ ଆମେ ଲାଇଟଲଗାଇଦେବୁ ବୋଲି କହିଛନ୍ତି । ତେବେ ଉଭୟ ଅଧିକାରୀଙ୍କ କଥାରେ ତାଳମେଳ ରହୁନଥିବାରୁ ତଥା ଜିଲ୍ଲାର ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ରହୁନଥିବା କାରଣରୁ ଏଭଳି ଅବ୍ୟବସ୍ଥା ଲାଗିରହୁଛି ବୋଲି ଷ୍ପଷ୍ଟ ହେଉଛି । ଜିଲ୍ଲାପାଳ ନିଜେ ଧ୍ୟାନଦେଇ ପଦକ୍ଷେପ ନେବାକୁ ଖେଳାଳୀମାନେ ଦାବି କରିଛନ୍ତି ।

jittmm
Leave A Reply

Your email address will not be published.