jayashree

କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

  • ବସ୍‌ରେ ବସି ବଳରାମପୁର ପର୍ଯ୍ୟନ୍ତ ଗଲେ ମୁଖ୍ୟମନ୍ତ୍ରୀ
  • ୬୩ଟି ବସ୍‌ ଜିଲ୍ଲାର ସବୁ ପଞ୍ଚାୟତକୁ ଯୋଡିବ, ପଞ୍ଚାୟତରୁ ବ୍ଲକ୍‌କୁ ଚାଲିବ ବସ
  • ଘରେ ଘରେ ଖୁସି ଆଣିବ, ବିକାଶର ଗାଡ଼ିକୁ ଆହୁରି ଜୋରରେ ନେବ ଲକ୍ଷ୍ମୀ : ମୁଖ୍ୟମନ୍ତ୍ରୀ
  • ରୂପାନ୍ତର କ୍ଷେତ୍ରରେ କଳାହାଣ୍ଡି ଆମର ଏକ ମଡେଲ
  • ଶହୀଦ୍‌ ରେଣ୍ଡୋ ମାଝୀ ମେଡିକାଲ କଲେଜ ଉଦ୍‌ଘାଟିତ
  • କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ‘ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ’ ଭାବେ ନାମିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି । କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ୬୩ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍‌ ଯିବ । କଳାହାଣ୍ଡି ବିଶ୍ବବିଦ୍ୟାଳୟ ପଡିଆରେ ଏହି ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଘରେ ଘରେ ଖୁସି ଆଣିବ ଏବଂ ବିକାଶର ଗାଡିକୁ ଆହୁରି ଜୋରରେ ଆଗକୁ ନେବ । ସାରା ରାଜ୍ୟରେ ଏହି ଯୋଜନାରେ ୧୦୦୦ଟି ବସ୍‌ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ଭାବେ ନାମିତ କରିଥିଲେ ।

ସୂଚନାଯୋଗ୍ୟ ଯେ ଲକ୍ଷ୍ମୀ ଯୋଜନାରୁ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ପର୍ଯ୍ୟଟନ ତଥା ଆଞ୍ଚଳିକ ଆର୍ଥିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା । ଯୋଜନାର ଶୁଭାରମ୍ଭ ପରେ ବସ୍‌ରେ ବସି ବଳରାମପୁର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯାଇଥିଲେ ଏବଂ ସେଠାରେ ଏକ ବିକ୍ୟୁଏସ୍‌ ଫ୍ୟାସିଲିଟିର ଉଦ୍‌ଘାଟନ କରିଥିଲେ ।

ଆଜି ଦିନଟି କଳାହାଣ୍ଡିର ବିକାଶ ଯାତ୍ରାରେ ଏକ ବଡ଼ ମାଇଲ ଖୁଣ୍ଟ ଓ ବହୁତ ଆନନ୍ଦର ଦିନ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆଜି ଏଠାରେ ୩୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ହେଲା । ଆଉ ୯୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିଭୂମି ରଖାଗଲା । ଏହା ଜିଲ୍ଲାର ବିକାଶ ଗତିକୁ ଆହୁରି ଜୋରଦାର କରିବ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଗାଁରେ ବସର ଅସୁବିଧା ବିଷୟରେ ଜାଣିବା ପରେ ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଦ୍ବାରା ଆପଣଙ୍କର ପ୍ରତି ଦିନର ଚିନ୍ତା ଦୂର ହେବ । ରାଜ୍ୟରେ ଚାଲିବ ଏକ ହଜାରରୁ ଅଧିକ ବସ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଏଥିରେ ଆପଣଙ୍କ ଘର ପାଖକୁ ବସ ଆସିବ । ସମସ୍ତଙ୍କୁ ଯୋଡ଼ିବ । ପିଲାଙ୍କୁ ସ୍କୁଲ ସହିତ, ଚାଷୀକୁ ମାର୍କେଟ ସହିତ ଆଉ ମା’ମାନଙ୍କ ଗତିଶୀଳତା ବୃଦ୍ଧି ପାଇବ ।

କଳାହାଣ୍ଡିର ବିକାଶ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରୂପାନ୍ତର କ୍ଷେତ୍ରରେ କଳାହାଣ୍ଡି ଆମର ଏକ ମଡେଲ । ଶିକ୍ଷା ,ସ୍ୱାସ୍ଥ୍ୟ ଯୋଗାଯୋଗ, ଭିତ୍ତିଭୂମି ଶିଳ୍ପ କୃଷି ସବୁ କ୍ଷେତ୍ରରେ ଉନ୍ନତି କଳାହାଣ୍ଡିବାସୀଙ୍କ ସପନକୁ ସାକାର କରିଛି । କଳାହାଣ୍ଡି ଆଜି ନିଜ ଇତିହାସକୁ ପରିବର୍ତ୍ତନ କରିଛି । ସଫଳତାର ନୂଆ କାହାଣୀ ଯୋଡ଼ିଛି । ବିକାଶର ଯାତ୍ରାରେ ଆଗକୁ ବଢ଼ିଛି । ସାରା ଦେଶକୁ ଆଜି କଳାହାଣ୍ଡି ଚାଉଳ ଦଉଛି ବୋଲି ସେ କହିଥିଲେ ।

ଇନ୍ଦ୍ରାବତୀ ପ୍ରୋଜେକ୍ଟ କଳାହାଣ୍ଡି ବିକାଶର ଇଞ୍ଜିନ ବୋଲି ମତଦେଇ ସେ କହିଥିଲେ ଯେ, ଏହି ପ୍ରୋଜେକ୍ଟ କଳାହାଣ୍ଡିର ଚେହେରାକୁ ଉଜ୍ଜଳ କରିଛି । ଖୁବ୍ ଶୀଘ୍ର ଏଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ ହେବ । ସବୁ ପଞ୍ଚାୟତକୁ ମିଳିବ ପଚାଶ ଲକ୍ଷ ଟଙ୍କା । ଆମ ସଂସ୍କୃତି ଓ ଆଧୁନିକ ଭିତ୍ତିଭୂମି ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଥିଲେ ।

ସମସ୍ତଙ୍କ ସହଯୋଗରେ ଆଗାମୀ ଦିନରେ କଳାହାଣ୍ଡିର ବିକାଶ ଯାତ୍ରା ଆହୁରି ଆଗକୁ ଯିବ ବୋଲି ସେ ମତ ଦେଇଥିଲେ ।

ଆଜି କଳାହାଣ୍ଡିରେ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ମଧ୍ୟ ଉଦ୍‌ଘାଟିତ ହେଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସହିଦ ରେଣ୍ଡୋ ମାଝୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଜଳସଂପଦ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଯୋଗ ଦେଇ କହିଲେ ଯେ ଲକ୍ଷ୍ମୀ ଯୋଜନା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଇତିହାସ ରଚନା କରିଛନ୍ତି । ଯେଉଁ ପଞ୍ଚାୟତ ଗୁଡିକରେ ଲୋକମାନେ ସ୍ବପ୍ନରେ ସୁଦ୍ଧା ପରିବହନ ସୁବିଧା ପାଇବେ ବୋଲି ଭାବି ନ ଥିଲେ, ଆଜି ସେମାନଙ୍କ ପାଇଁ ସୁନ୍ଦର ଆଧୁନିକ ବସ୍‌ ପରିବହନ ବ୍ୟବସ୍ଥା ଉପଲବ୍‌ଧ ହୋଇଛି ।

ଏହି କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର, ବିଧାୟକଗଣ ଭୂପିନ୍ଦର ସିଂ, ଦିବ୍ୟଶଂକର ମିଶ୍ର, ମୌଷଧି ବାଗ, ପ୍ରଦୀପ କୁମାର ଦିଶାରୀ ପ୍ରମୁଖ ଯୋଗଦେଇ ଓଡିଶାର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂର ଦୃଷ୍ଟିର ଉଚ୍ଚ ପ୍ରଶଂସା କରିଥିଲେ ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭର୍ଚ୍ୟୁଆଲ ପ୍ଲାଟଫର୍ମରେ ଉପସ୍ଥିତ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ସହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଣେ ଛାତ୍ର ପ୍ରତୀଶ କୁମାର କୁମ୍ଭାରଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ପାଠ ପଢିବାର ସୁବିଧା ସଂପର୍କରେ ମୁଖ୍ୟମନ୍ତ୍ରୀ ପଚାରିବା ପରେ ସେ କହିଥିଲେ ଯେ ଏଠାରେ ପାଠ ପଢିବା ପାଇଁ ସବୁପ୍ରକାର ସୁବିଧା ସୁଯୋଗ ମିଳୁଛି ଏବଂ ଆମେ ଖୁସିରେ ପାଠ ପଢୁଛୁ । କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭିୟ ଦୁଇ ଜଣ ଛାତ୍ରୀ ଅନୁପ୍ରିୟା କୁମାରୀ ଓ ଅନୁଷ୍କା ସିଂଙ୍କ ସହିତ ଆଲୋଚନା କରିଥିଲେ ।

ସୂଚନାଯୋଗ୍ୟ ଯେ, ୩୨୫ କୋଟି ଟଙ୍କା ବିନିଯୋଗରେ ନିର୍ମିତ କଳାହାଣ୍ଡିର ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ଚଳିତ ବର୍ଷ ଠାରୁ ପାଠପଢା ଆରମ୍ଭ ହୋଇଛି । ୪୩.୧୮ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି କଲେଜରେ ୧୦୦ ଜଣ ଛାତ୍ର ପାଠ ପଢା ଆରମ୍ଭ କରିଛନ୍ତି । ଏଥିରେ ରାଜ୍ୟ ସରକାରୀ ସ୍କୁଲରୁ ୧୩ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ଏହାଦ୍ବାରା ସ୍ବାସ୍ଥ୍ୟ ଶିକ୍ଷାରେ ଉନ୍ନତି ଆସିବା ସହିତ ସ୍ଥାନୀୟ ଅଞ୍ଚଳରେ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ମିଳିପାରିବ ।

ମେଡିକାଲ କଲେଜ ସହିତ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ୨୦୬ କୋଟି ଟଙ୍କା ବିନିଯୋଗରେ ଏକ ୬୫୦ ଶଯ୍ୟାବିଶିଷ୍ଟ ଟିଚିଂ ହସ୍‌ପିଟାଲ ମଧ୍ୟ ନିର୍ମାଣ କରୁଛନ୍ତି । ଏହା ବର୍ତ୍ତମାନ ନିର୍ମଣାଧୀନ ।

Leave A Reply

Your email address will not be published.