ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବାରମ୍ବାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲକ୍ଷ୍ମୀ ବସ ଦୁର୍ଘଟଣା ହେଉଥିବା ଦେଖିବାକୁ ମିଳିଛି । ସୁପରଭାଇଜର କହୁଛନ୍ତି ଆଡଜେଷ୍ଟ କର, ଚାଲିବ, ଚଳେଇ ଦେଇଥାଅ, ବସରେ ଷ୍ଟେପିନ ଟାୟାର ଥାଉ ବା ନ ଥାଉ, ବସରେ ବ୍ରେକ ଥାଉ ବା ନ ଥାଉ, ଆବଶ୍ୟକ ଅନୁଯାୟୀ ତେଲ ଫୁଲ ଥାଉ ବା ନ ଥାଉ କିନ୍ତୁ ବସ ଚାଲିବ । ଏହିଭଳି ସାରା ରାଜ୍ୟରେ କାମ ଚଳାରେ ଚାଲିଛି ଅଣ କୁଶଳୀ ସୁପରଭାଇଜରମାନଙ୍କ ହାତରେ ବର୍ତ୍ତମାନ ଲକ୍ଷ୍ମୀ ବସର ଭବିଷ୍ୟତ । ଗତକାଲି ଭୟଙ୍କର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୪୭ ଜଣ ବସଯାତ୍ରୀ । ଘଟଣା ହେଲା ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ସଦର ବ୍ଲକ ଠାରୁ ୪୭ଜଣଙ୍କୁ ନେଇ ଶିକରପାଇ ଅଭିମୁଖେ ଯାଉଥିବାବେଳେ କାଙ୍ଗତୁମା ଘାଟିଠାରେ ଦୁର୍ଘଟଣା ହୋଇଥିଲା । କାଙ୍ଗତୁମା ମାଣ୍ଡିବିଶି କହିଲେ ଅତି ଭୟଙ୍କର ଅଙ୍କାବଙ୍କା ଉଠାଣି ଘାଟ ଓ ନେରୋ ରାସ୍ତା । ବାମ ଆଡକୁ ଦୁର୍ଘଟଣା ହୋଇଥିଲେ ବସ୍ଟି ୧୫୦ ଫୁଟ ତଳକୁ ଖସି ଯାଇଥାଆନ୍ତା । ବସଟି ବ୍ରେକ ଫେଲ ହେବା ଜାଣି ଡ୍ରାଇବର ବାବୁଲା ମାଝୀ ଡାହାଣ ପାଖ ବିଲ ଆଡକୁ ଗାଡି ମଡେଇ ଦେବା ଯୋଗୁଁ ସମସ୍ତ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିଲା । କେବଳ ତିନିଜଣ ଯାତ୍ରୀ ଅଳ୍ପ ଆହାତ ହୋଇଥିବାବେଳେ କିଏ ଗୁରୁତର ହୋଇ ନାହାଁନ୍ତି । ବସ ଚାଳକ କହିବା ଅନୁସାରେ ସେ ବସ ସୁପରଭାଇଜର ନାରାୟଣ ଦାସଙ୍କୁ ବସ୍ର ବ୍ରେକ କମ୍ଜୋର୍ ଥିବା ଅବଗତ କରିଥିଲେ । ଯେହେତୁ ବସଟି ବିପଦପୂର୍ଣ୍ଣ ଘାଟି ରାସ୍ତା ଦେଇ ଗତି କରିବ, କିନ୍ତୁ ସୁପରଭାଇଜର ନାରାୟଣ ବାବୁ ବସ୍ର ବ୍ରେକ କମଜୋର ଥିବା ଜାଣି ମଧ୍ୟ ଆଡଜେଷ୍ଟ କରିବାକୁ ଡ୍ରାଇଭରକୁ କହିଥିଲେ ବୋଲି ଡ୍ରାଇଭର ବାବୁଲା ପ୍ରକାଶ କରିଛନ୍ତି । ବସ ଦୁର୍ଘଟଣା ସ୍ଥଳରେ କାଶୀପୁର ଡ୍ରାଇଭର ସଙ୍ଘର ସଦସ୍ୟମାନେ ଏକ ଆମ୍ବୁଲାନ୍ସ ସହ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଏହି ଘଟଣା ପରେ ଲକ୍ଷ୍ମୀ ବସର ଭବିଷ୍ୟତ କଣ ହେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।