
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୧୦ରୁ ୧୭ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ୧୩ ରୁ ୧୫ ତାରିଖ ମଧ୍ୟମ ବର୍ଷା ସମ୍ଭାବନା ରହିଛି । ୧୬ ଓ ୧୭ରେ ୫ ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । ଡ.ପଶୁପାଳକଙ୍କ ଆକଳନ ଅନୁସାରେ, ସୃଷ୍ଟି ହୋଇଥିବା ଲଘୁଚାପ ୯ ଓ ୧୦ରେ ଅବପାତ ରୂପ ନେବାର ସମ୍ଭାବନା ରହିଛି । ଲଘୁଚାପର ସିଧା ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ । କିନ୍ତୁ ଏହା ଦ୍ୱାରା ରାଜ୍ୟକୁ ସାମୁଦ୍ରିକ ପବନ ବହିବ । ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାରେ କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ୧୦ ତାରିଖରେ ଗୋଟିଏ କିମ୍ବା ୨ଟି ସ୍ଥାନରେ ହାଲୁକା ବର୍ଷା ହେବ । ୧୩ରୁ ୧୫ ମଧ୍ୟରେ ଉତ୍ତର ଉପକୂଳ ଓ ସଂଲଗ୍ନ ଯାଜପୁର, କେନ୍ଦୁଝର, ମୟୂରଭଞ୍ଜରେ ସ୍ୱଳ୍ପ ଓ କେତେକ ସ୍ଥାନରେ ମଧ୍ୟମ ବର୍ଷା ହୋଇପାରେ । ସେହିପରି ୧୬ ଓ ୧୭ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ମୟୂରଭଞ୍ଜରେ ଅପେକ୍ଷାକୃତ ଅଧିକ ବର୍ଷା ଓ ଦକ୍ଷିଣ ଆଭ୍ୟନ୍ତରଣରେ କାଁ ଭାଁ ବର୍ଷା ହୋଇପାରେ । ଅନେକ ସ୍ଥାନରେ ୮ ଓ ୯ ତାରିଖରେ ତାପମାତ୍ରା ୧ରୁ ୨ ଡିଗ୍ରୀ ସେଲସିୟସ ବଢ଼ିବ । ୧୦ରେ ଅଳ୍ପ ସ୍ଥାନରେ କମିବ । ବଲାଙ୍ଗିର, କଳାହାଣ୍ଡି, ସୋନପୁର, ସୁନ୍ଦରଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ୧୩ ଓ ୧୪ରେ ଉତ୍ତର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁଆପଥର ବର୍ଷା ହୋଇପାରେ ।ବଜ୍ରପାତ ସାଙ୍ଗକୁ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ବହିବାର ସମ୍ଭାବନା ଅଛି । ଏସବୁ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।