ୟୁପି ଢଙ୍ଗରେ ଓଡିଶାରେ ବି ହେଉ ‘ଲଭ୍‌ଜିହାଦ’ ଆଇନ – ଶାନ୍ତନୁ କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍ତର ପ୍ରଦେଶ ବିଧାନସଭାରେ ଗତକାଲି ଲଭଜିହାଦ ବିରୋଧୀ ବିଲ୍ ପାରିତ ହୋଇଥିବା ବେଳେ ଲଭଜିହାଦ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ପ୍ରାବଧାନ ରହିଛି । ତେବେ ଉତ୍ତରପ୍ରଦେଶ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ସମରସତା ବିଭାଗର ପଶ୍ଚିମ ଓଡ଼ିଶାର ମୁଖ୍ୟ ଶାନ୍ତନୁ କୁସୁମ । ତାସହିତ ସମାନ ଢଙ୍ଗରେ ଓଡିଶାରେ ମଧ୍ୟ ଲଭଜିହାଦ ବିରୁଦ୍ଧରେ କଠୋର ଆଇନ ତିଆରି ହେଉ ବୋଲି ସେ ଦାବୀ କରିଛନ୍ତି । ଏହି ଅବସରରେ ଭିଏଚ୍‌ପି ନେତା ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ବିଗତ ପାଞ୍ଚ ବର୍ଷ ଧରି ଓଡିଶାରେ ଯେଉଁ ଭଳି ଭାବରେ ପ୍ରେମ ଆଳରେ ହିନ୍ଦୁ ଝିଅ, ବୋହୁ ମାନଙ୍କ ଧର୍ମାନ୍ତରୀକରଣ ଚାଲିଛି ତାହା ଅତ୍ୟନ୍ତ ଉଦ୍‌ବେଗଜନକ । ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକେ ନିଜ ପରିଚୟକୁ ଲୁଚାଇ ଯୋଜନାବଦ୍ଧ ଭାବରେ ହିନ୍ଦୁ ଝିଅ, ବୋହୁ ମାନଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଛନ୍ତି । ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ଉପରେ ଚାପ ପକାଇ ବଳପୂର୍ବକ ଧର୍ମ ପରିବର୍ତ୍ତନ କରୁଛନ୍ତି । ଯଦି ସମ୍ପୃକ୍ତ ହିନ୍ଦୁ ଝିଅ ଧର୍ମ ପରିବର୍ତ୍ତନ ପାଇଁ ରାଜି ନହେଲେ ଶେଷରେ ତାକୁ ଅମାନୁଷିକ ନିର୍ଯ୍ୟାତନା ଦିଆଯାଉଛି ନଚେତ୍ ହତ୍ୟା କରାଯାଇ ଫିଙ୍ଗି ଦିଆଯାଉଛି । ତେଣୁ ଓଡିଶା ସରକାର ମଧ୍ୟ ୟୁପି ସରକାରଙ୍କ ଠାରୁ କିଛି ଶିକ୍ଷାଲାଭ କରି ସମାନ ଢଙ୍ଗରେ ଲଭଜିହାଦ ବିରୁଦ୍ଧରେ କଠୋର ଆଇନ ତିଆରି କରିବାର ଆବଶ୍ୟକତା ରହିଛି । ଏହି ଅବସରରେ ଶ୍ରୀ କୁସୁମ ଆହୁରି କହିଛନ୍ତି ଯେ, ଧର୍ମ ସ୍ୱାଧୀନତା ହେଉଛି ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର । ତେଣୁ ପ୍ରେମର ଛଳନା କରି ଜଣେ ଝିଅକୁ ବିବାହ କରିବା ପରେ ବଳପୂର୍ବକ ଧର୍ମ ପରିବର୍ତ୍ତନ କରିବା ସମ୍ପୂର୍ଣ୍ଣ ରୂପେ ମୌଳିକ ଅଧିକାର ଓ ଧର୍ମ ସ୍ୱାଧୀନତାର ବିରୁଦ୍ଧାଚରଣ । ତେଣୁ ଓଡିଶା ସରକାର ହିନ୍ଦୁ ଝିଅ, ବୋହୁଙ୍କ ମୌଳିକ ଅଧିକାର ତଥା ଧର୍ମ ସ୍ୱତନ୍ତ୍ରତାକୁ ଅଗ୍ରାଧିକାର ଦେଇ ଅତିଶୀଘ୍ର ଲଭଜିହାଦ ବିରୁଦ୍ଧରେ କଠୋର ଆଇନ ତିଆରି କରିବା ଉଚିତ୍‌ । ତା’ ସହିତ ଲଭଜିହାଦ ରାକେଟର ଗତିବିଧି ଉପରେ ତୀକ୍ଷଣ ନଜର ରଖିବାକୁ ଏକ ସ୍ଵତନ୍ତ୍ର ଟାସ୍କଫୋର୍ସ ଗଠନ କରିବା ପାଇଁ ଭିଏଚ୍‌ପି ନେତା ଶ୍ରୀ କୁସୁମ ଦାବୀ କରିଛନ୍ତି ।

Leave A Reply

Your email address will not be published.