ଶ୍ରୀମନ୍ଦିରର ସୁରକ୍ଷା ପ୍ରତି ରାଜ୍ୟ ସରକାର ଗମ୍ଭୀର ହେବା ଉଚିତ୍‌ – କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଥିବା ବେଳେ ଏହାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ କୁସୁମ । ତାସହିତ ଏଭଳି ଅଘଟଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ସେ ଦାୟୀ କରିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ରାଜ୍ୟ ସରକାର ଗମ୍ଭୀର ହେବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭିଏଚ୍‌ପି ନେତା ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଓ ରୋଷଶାଳା କଡା ସୁରକ୍ଷା ବଳୟ ମଧ୍ୟରେ ରହିଥିବା ସତ୍ତ୍ୱେ ଏତେ ବଡ଼ କାଣ୍ଡ ଘଟାଇବା ପାଇଁ କିଏ କେମିତି ସମର୍ଥ ହେଲା, ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ତେଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହୋଇ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ଶ୍ରୀ କୁସୁମ ଆହୁରି କହିଛନ୍ତି ଯେ, ଓଡ଼ିଆ ଜାତିର ଅସ୍ମିତାର ପରିଚୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ସୁରକ୍ଷା ଓ ସୁପରିଚାଳନା ବ୍ୟବସ୍ଥା ହେଉଛି ରାଜ୍ୟ ସରକାରଙ୍କ ପ୍ରଥମ କର୍ତ୍ତବ୍ୟ । କାରଣ ମହାପ୍ରଭୁ କେବଳ ଓଡିଶାବାସୀଙ୍କ ନୁହେଁ, ସାରା ବିଶ୍ଵର ହିନ୍ଦୁ ସମାଜର ଆସ୍ଥା ଓ ବିଶ୍ଵାସର କେନ୍ଦ୍ର । ତା’ଛଡା ଶ୍ରୀମନ୍ଦିର ସହ ମହାପ୍ରଭୁଙ୍କ ମହାପ୍ରସାଦର ଅନନ୍ୟ ସମ୍ପର୍କ ରହିଥିବା ବେଳେ ମହାପ୍ରସାଦ ସହ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ଜଡ଼ିତ । ମହାପ୍ରଭୁଙ୍କ ମହାପ୍ରସାଦ ଅମୃତ ତୁଲ୍ୟ ହୋଇଥିବା ବେଳେ ମହାପ୍ରଭୁଙ୍କ ରୋଷଘର ସହ ମା’ ଲକ୍ଷ୍ମୀ ଓ ମା’ ହିଙ୍ଗୁଳା ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବାର ଧାର୍ମିକ ବିଶ୍ଵାସ ରହିଛି । ତେଣୁ ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତ୍ଵର ସହ ଗ୍ରହଣ କରି ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଶ୍ରୀମନ୍ଦିରର ସୁରକ୍ଷା ପ୍ରତି ଗମ୍ଭୀର ହେବା ଉଚିତ ବୋଲି ଭିଏଚପି ନେତା ଶ୍ରୀ କୁସୁମ ଦାବୀ କରିଛନ୍ତି ।

Leave A Reply

Your email address will not be published.