ଡ. ଅନ୍ତର୍ଜିତା ନାୟକଙ୍କ ‘ପୁସ୍ତକ କୁସୁମ’ ଓ ‘ପରୀକ୍ଷାର ପରୀକ୍ଷା’ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଭିବ୍ୟକ୍ତି ରିସର୍ଚ୍ଚ ଆଣ୍ଡ ଡେଭ୍‌ଲପ୍‌ମେଣ୍ଟ ଫାଉଣ୍ଡେସନ ତରଫରୁ ଡ. ଅନ୍ତର୍ଜିତା ନାୟକଙ୍କ ଦୁଇଖଣ୍ଡ ପୁସ୍ତକ କୁସୁମ-ବ୍ୟବସ୍ଥାର ଅବ୍ୟବସ୍ଥାରେ ଆଦିବାସୀ ଓ ପରୀକ୍ଷାର ପରୀକ୍ଷା – ଶିକ୍ଷାଦାନ, ପରୀକ୍ଷା, ମୂଲ୍ୟାୟନ ପଦ୍ଧତି ଉନ୍ମୋଚିତ ହୋଇଯାଇଛି । ଡ. ନାୟକଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ. ଉମା ମହେଶ୍ୱର ରାଓ ମୁଖ୍ୟ ଅତିଥି, ଶିକ୍ଷାବିତ ପି. ନିରଜା ଓ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁସ୍ତକ ଦ୍ୱୟକୁ ଉନ୍ମୋଚନ କରିବା ସହ ଡ. ନାୟକଙ୍କ ଦୂରଦୃଷ୍ଟି, ଅଧ୍ୟବସାୟ ଓ ତାଙ୍କ ବ୍ୟକ୍ତିତ୍ଵ ବାବଦରେ ବର୍ଣ୍ଣନା କରିଥିଲେ । ରଚିତ ପୁସ୍ତକରେ ସୁନ୍ଦରଗଡ଼ର କଥା, ପାହାଡ଼, ବନ, ଝରଣା, ଆଦିବାସୀଙ୍କ ଜନଜୀବନକୁ ନେଇ ହୋଇଥିବା ରଚନା ବେଶ ଲୋକପ୍ରିୟ ହେବ ବୋଲି ମତ ରଖିଥିଲେ । ଜ୍ଞାନ ସବୁବେଳେ ଅସୀମ । ସେହିପରି ତାଙ୍କର ପ୍ରେରଣାଦାୟୀ ମା’ କୃତାଞ୍ଜଳୀଙ୍କ ଗଣିତ ପ୍ରତି ଥିବା ଆଗ୍ରହ ତାଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରୁଛି ବୋଲି କହିଥିଲେ । ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ଚର୍ଚ୍ଚିତା ନାୟକଙ୍କୁ ଅଭିବ୍ୟକ୍ତି – କୃତାଞ୍ଜଳି ଗଣିତ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ଡ. ନାୟକ ଅତିଥି ମାନଙ୍କ ପରିଚୟ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଡ. ରାମକୃଷ୍ଣ ବିଶ୍ୱାଳ, କୃତାଞ୍ଜଳି ନାୟକ, ଲକ୍ଷ୍ମୀକାନ୍ତ ନାୟକ, ଡ. ଅଜିତ ବେହେରା, କାର୍ତ୍ତିକ ଚନ୍ଦ୍ର ପାଣ୍ଡବ, ଜୟନ୍ତୀ ବେବର୍ତ୍ତା, ଗଗନ ବିହାରୀ ଧଳ, ନିରୁପମା ପତି, ଅଶୋକ ବଳଙ୍କ ସମେତ ଶତାଧିକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.