ବରଗଡ଼, (ନିରୋଜ କୁମାର ପାଣୀ) : ଆଜିର ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ରପୃଷ୍ଟକୁ ପହଞ୍ଚି ସାରିଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ରହିଅଛି ଅନେକ ଅନ୍ଧବିଶ୍ୱାସ । ଆଜିର ଶିକ୍ଷିତ ସମାଜରେ ମଧ୍ୟ ଜଣେ ଏଡସ୍ ଆକ୍ରାନ୍ତଙ୍କୁ ସମାଜ ସବୁବେଳେ ଘୃଣା ଚକ୍ଷୁରେ ଦେଖେ । କେତେବେଳେ ସାମାଜିକ ବାସନ୍ଦ ହେବାକୁ ପଡେ ତ ଆଉ କେତେବେଳେ ନିର୍ୟାତନାର ଶିକାର । ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବା ପାଇଁ ବହୁ ପ୍ରତିବନ୍ଧକ ଆସେ । ଜୀବିତ ଅବସ୍ଥାରେ ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇଥିବା ସେହି ବ୍ୟକ୍ତିକୁ ମୃତ୍ୟୁବରଣ ପରେ ମଧ୍ୟ ସମସ୍ୟା ପିଛା ଛାଡିନଥାଏ । ଆଜି ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ । ସୂଚନା ଅନୁସାରେ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗତକାଲି ଏକ ଅଜଣା ବ୍ୟକ୍ତିଙ୍କ ଶବ ପଡି ରହିଥିବା ଦେଖାଯାଇଥିଲା । ଘଟଣା ସ୍ଥଳକୁ ବରଗଡ଼ ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ୩୩/୨୩ ରୁଜୁକରି ଘଟଣାର ତନାଘନା କରିଥିଲା । ପରେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଥିଲା । ମୃତ ବ୍ୟକ୍ତି ଜଣକ ସୋହେଲା ବ୍ଲକ ଅନ୍ତର୍ଗତ ବିଶିପାଲି ଗ୍ରାମର ଗୁରୁ କୁମ୍ଭାର (୪୫) ବୋଲି ଜଣାଯାଇଥିଲା । ଗୁରୁ କୁମ୍ଭାର ଦୀର୍ଘ ଦିନରୁ ଏଡସ୍ ରୋଗରେ ପୀଡିତ ଥିବାରୁ ଘରେ ନରହି ଅନ୍ୟତ୍ର ଅସ୍ଥାୟୀ ଭାବରେ ରହିଆସୁଥିଲେ ମାତ୍ର ଗତକାଲି ସେ ଅସୁସ୍ଥ ଅନୁଭବ କରିବାରୁ ନିଜେ ବରଗଡ଼ ପୁରୁଣା ଚିକିତ୍ସାଳୟକୁ ଚିକିତ୍ସା ସକାଶେ ଆସିଥିଲେ ଓ ସେଠାରେ ପ୍ରାଣତ୍ୟାଗ କରିଥିଲେ । ମାତ୍ର ସେ ଏଡସ୍ ଭଳି ଏକ ଭୟାବହ ରୋଗରେ ପୀଡିତ ଥିବା କହି ତାଙ୍କର ପରିବାର ଲୋକେ ତଥା ଗ୍ରାମବାସୀ ମୃତ ଗୁରୁଙ୍କ ମୃତ ଶରୀର ଗାଁକୁ ନେବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ । ତେବେ ବରଗଡ଼ ଟାଉନ ପୋଲିସରୁ ଖବର ପାଇ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ସଦସ୍ୟ ବିକାଶ ଅଗ୍ରୱାଲ, ନବୀନ ବୁଡେକ, ଲୋକନାଥ ମେହେର, ନିଲେସ ପଧାନ, ଚିନ୍ମୟ ପାଣ୍ଡେ ପ୍ରମୁଖ ଯାଇ ମୃତ ଗୁରୁ କୁମ୍ଭାରଙ୍କ ଦୁଇପୁଅ ମନୋଜ କୁମ୍ଭାର ଓ ମାନସ କୁମ୍ଭାରଙ୍କ ସହ ମିଶି ଶବ ସତ୍କାର କରିଥିଲେ ।