centurian jitm

ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ

nschool
  • ଅକ୍ଷୟ ତୃତୀୟା ଅବସରରେ ଚାଷୀମାନଙ୍କୁ ସିଏମ୍‌ କିଷାନ ଅନ୍ତର୍ଗତ ସହାୟତା ରାଶି ପ୍ରଦାନ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସଦର ବ୍ଲକ୍ ଅନ୍ତର୍ଗତ କିରେଇ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଠାରେ ଆଜି ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଜିଲ୍ଲାପାଳ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ପାରମ୍ପାରିକ ରୀତିନୀତି ଅନୁଯାୟୀ ଅତିଥି ମାନେ ଅଖିମୁଠି ଅନୁକୂଳ କରିବା ସହିତ ଚାଷ ଜମିରେ ବିହନ ବୁଣିଥିଲେ । ପରେ ପରେ ସମ୍ମିଳନୀ କକ୍ଷ ଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ଼ା. ଲକ୍ଷ୍ମୀପ୍ରିୟା ପ୍ରଧାନ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ କୃଷକ ଦିବସ ପାଳନର ଆଭିମୁଖ୍ୟ ଏବଂ କୃଷକ ମାନଂକ ସଶକ୍ତିକରଣ ଦିଗରେ କୃଷି ବିଜ୍ଞାନ କେନ୍ଦ୍ରର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମହାଜନ ଅକ୍ଷୟ ତୃତୀୟାର ମହତ୍ତ୍ଵ ଉପରେ ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ଆଜିର ଦିନରେ ଯାହା କାର୍ଯ୍ୟ କରାଯାଏ ତାହା ଅକ୍ଷୁର୍ଣ୍ଣ ଏବଂ ନିରନ୍ତର ରହିଥାଏ । ସେହିଭଳି ସିଏମ୍‌ କିଷାନ ଏବଂ ପିଏମ୍‌ କିଷାନ ଅନ୍ତର୍ଗତ ଆର୍ଥିକ ସହାୟତା, କୃଷକ ଯନ୍ତ୍ରପାତି କ୍ରୟ ଉପରେ ମିଳୁଥିବା ଇନ୍‌ପୁଟ୍‌ ସବସିଡି, ଶ୍ରୀ ଅନ୍ନ ଆଦି ଉପରେ ନିଜର ବକ୍ତବ୍ୟ ରଖିବା ସହିତ କୃଷି ଏବଂ କୃଷକ ମାନଂକ ଉନ୍ନତି ତଥା ସୁଦୃଢ଼ୀକରଣ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ଆଦି ରହିଛି , ଚାଷୀମାନେ ସେସବୁ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଲାଭବାନ ହେବାକୁ ଜିଲ୍ଲାପାଳ ଶ୍ରୀ ମହାଜନ ନିଜ ଅଭିଭାଷଣ କହିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଉପ ବାଚସ୍ପତି ଶ୍ରୀ ଭୋଇ ଅକ୍ଷୟ ତୃତୀୟା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଚାଷୀ ଆଗକୁ ବଢ଼ିଲେ ଦେଶ ଆଗକୁ ବଢିବ, ଆଜିର ଦିନରେ ହିଁ ଚାଷୀ ତାଙ୍କର ଚାଷ କାର୍ଯ୍ୟର ଶୁଭାରମ୍ଭ କରୁଛନ୍ତି ବୋଲି କହିଥିଲେ । ଆଜି ହେଉଛି ନୂତନ କାର୍ଯ୍ୟ ଆରମ୍ଭ କରିବାର ଶୁଭ ମୂହୁର୍ତ୍ତ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସେହିଭଳି ଚାଷୀମାନେ ଚାଷ କ୍ଷେତ୍ରରେ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରିବା ଦ୍ଵାରା ଚାଷ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବା ସହ ସେମାନଙ୍କର ଜୀବନଶୈଳୀରେ ମଧ୍ୟ ଉନ୍ନତି ଆସି ପାରିବ ବୋଲି କହିଥିଲେ । ଏହି ଅବସରରେ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପାଳନ ସମାରୋହର ସିଧା ପ୍ରସାରଣ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆଜି ସମଗ୍ର ରାଜ୍ୟର ୫୦ ଲକ୍ଷରୁ ଅଧିକ ଚାଷୀମାନଙ୍କୁ ସିଏମ୍‌ କିଷାନ ଅନ୍ତର୍ଗତ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଜିଲ୍ଲା କୃଷି ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ର, କିରେଇର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, କର୍ମଚାରୀ ଏବଂ ବହୁ ସଂଖ୍ୟାରେ ଚାଷୀମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.