- ସହର ଭିତରୁ ଆଣି ଛାଡ଼ି ଦିଆଯାଉଛି ଦେଓଗାଁ ଅଞ୍ଚଳରେ : ସାଧାରଣରେ ଅଭିଯୋଗ
ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ହେଲା ଦେଓଗାଁ ଅଞ୍ଚଳରେ ବୁଲା କୁକୁର ସଂଖ୍ୟା ବହୁ ମାତ୍ରାରେ ବଢ଼ିଯାଇଛି । ଏହାର ମୁଖ୍ୟ କାରଣ ହେଲା ମାତ୍ର ଅଳ୍ପ ଦିନ ବ୍ୟବଧାନରେ ବଲାଙ୍ଗିର ସହରର କୁକୁରଙ୍କୁ ଗାଡ଼ିରେ ଆଣି ଦେଓଗାଁ ସୋନଗଡ଼ ନଦୀ କୂଳରେ ଛାଡ଼ି ଦିଆଯାଉଛି । ଅନେକ ସମୟରେ ବେଧଡ଼କ ଭାବେ ଜାତୀୟ ରାଜପଥ ଉପରେ ଶହ ଶହ ସଂଖ୍ୟାରେ ବୁଲା କୁକୁରମାନେ ବୁଲୁଥିବାରୁ ଜାତୀୟ ରାଜପଥରେ ଦୁଇ ଚକିଆ ଯାନରେ ଯିବା ଆସିବା କରୁଥିବା ଯାତ୍ରୀମାନଙ୍କ ପାଇଁ ବିପଦ ଆଶଙ୍କା ହୋଇପଡ଼ିଛି । ଅନ୍ୟ ପକ୍ଷରେ ବିଭିନ୍ନ ଗାଁକୁ ବୁଲା କୁକୁରମାନେ ଯାଇ ଗାଁର ଶିଶୁ ସହ ସାଧାରଣ ଲୋକଙ୍କୁ କାମୁଡ଼ିବା ମଧ୍ୟ ଅଭିଯୋଗ ହେଉଛି । ବଲାଙ୍ଗିରର ବୁଲା କୁକୁରଙ୍କୁ ଦେଓଗାଁ ଅଞ୍ଚଳରେ କାହିଁକି ଛଡ଼ାଯାଉଛି, ତାହାକୁ ନେଇ ସାଧାରଣ ଲୋକମାନେ ଚିନ୍ତାରେ ପଡ଼ିଛନ୍ତି । ଯଦି ବଲାଙ୍ଗିର ସହରରେ କୁକୁରମାନେ ଉତ୍ପାତ କରୁଛନ୍ତି ତାହା ହେଲେ ଅନ୍ୟ କୌଣସି ଉପାୟରେ ସେମାନଙ୍କୁ ସ୍ଥାନାନ୍ତରିତ କରିବା କଥା । ଯଦି ପୁଣି ଥରେ ଏପରି ପରିସ୍ଥିତି ଦେଖାଯାଏ ତାହା ହେଲେ କୁକୁର ଆଣି ଛାଡ଼ୁଥିବା ଲୋକଙ୍କୁ ସ୍ଥାନୀୟ ଲୋକମାନେ ବାଧ୍ୟ କରି ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ତେଣୁ ଏହି ବେଆଇନ କାମ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ଜିଲ୍ଲା ପ୍ରଶାସନକୁ ଦାବୀ କରାଯାଇଛି ।