jayashree

ବନ୍ୟପ୍ରାଣୀ ଆକ୍ରମଣରେ ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ବୃଦ୍ଧି କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବନ୍ୟପ୍ରାଣୀ ଆକ୍ରମଣରେ ମୃତ୍ୟୁ ଘଟିଲେ ୬ ଲକ୍ଷ ଟଙ୍କା ଦେବେ ରାଜ୍ୟ ସରକାର । ପୂର୍ବରୁ ଏହି ରାଶି ୪ ଲକ୍ଷ ଥିଲା । ଏବେ ଏହି ସହାୟତା ରାଶିକୁ ଆଉ ୨ ଲକ୍ଷ ବଢାଇ ଦେଇଛନ୍ତି । ଏହି ଅନୁକମ୍ପା ରାଶି ବୃଦ୍ଧି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ସେହିପରି ବନ୍ୟପ୍ରାଣୀ ଆକ୍ରମଣରେ ଆହତ ବ୍ୟକ୍ତିଙ୍କ ସହାୟତା ରାଶିରେ ମଧ୍ୟ ସରକାର ବୃଦ୍ଧି କରିଛନ୍ତି । ୬୦%ରୁ ଅଧିକ ଅକ୍ଷମତା କ୍ଷେତ୍ରରେ ଅଢ଼େଇ ଲକ୍ଷ ଟଙ୍କା ମିଳିବ । ସେହିପରି ୬୦%ରୁ କମ୍ ଅକ୍ଷମତା କ୍ଷେତ୍ରରେ ସହାୟତା ଏକ ଲକ୍ଷରୁ ଦେଢ଼ଲକ୍ଷ ଟଙ୍କା ମିଳିବ ବୋଲି ଘୋଷଣା କରିଛନ୍ତି ସରକାର । ସେହିପରି ସାମାନ୍ୟ ଆହତଙ୍କ କ୍ଷେତ୍ରରେ ପୂର୍ବରୁ ସହାୟତା ପରିମାଣ ୫ ହଜାର ଟଙ୍କା ଥିଲା । ନୂଆ ଘୋଷଣା ଅନୁଯାୟୀ, ଏକ ସପ୍ତାହରୁ ଅଧିକ ସମୟ ଧରି ଚିକିତ୍ସାର ଆବଶ୍ୟକତା ଥିଲେ, ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା ସହିତ ୧୦ ହଜାର ଟଙ୍କା ସହାୟତା ଦିଆଯିବ । ସେହିପରି ଚିକିତ୍ସାର ସମୟ ଏକ ସପ୍ତାହରୁ କମ୍ ହେଲେ ମାଗଣା ଚିକିତ୍ସା ସହିତ ୫ ହଜାର ଟଙ୍କା ସହାୟତା ଦିଆଯିବ ।

ପୂର୍ବରୁ ଗାଈ, ମଇଁଷି, ବଳଦ ଆଦି ମୃତ୍ୟୁ ଘଟିଲେ ସରକାରଙ୍କ ପକ୍ଷରୁ ୫ ହଜାର ଟଙ୍କାର ସହାୟତା ରାଶି ମିଳୁଥିଲା । ହେଲେ ଏହି ରାଶିକୁ ବୃଦ୍ଧି କରିଛନ୍ତି ସରକାର । ଗାଈ, ମଇଁଷିର ମୃତ୍ୟୁ ପାଇଁ ୩୭ ହଜାର ୫୦୦ ଟଙ୍କା ଏବଂ ବଳଦ ମୃତ୍ୟୁ ପାଇଁ ୩୨ ହଜାର, ବାଛୁରୀ ପାଇଁ ୫ ହଜାର, ଛେଳି ଓ ମେଣ୍ଢାଙ୍କ ପାଇଁ ୪ ହଜାର, ଛେଳି ଓ ମେଣ୍ଢା ଛୁଆଙ୍କ ମୃତ୍ୟୁ ପାଇଁ ୧୫୦୦ ଟଙ୍କା ଲେଖାଏଁ ସହାୟତା ଦେବେ ସରକାର । ଏଥିସହିତ ଫସଲ କ୍ଷୟକ୍ଷତି କ୍ଷେତ୍ରରେ ମଧ୍ୟ ସହାୟତା ପରିମାଣ ବଢିଛି । ଧାନ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟ ଫସଲ କ୍ଷତିରେ ସହାୟତା ପରିମାଣ ଏକର ପିଚ୍ଛା ୨୦ ହଜାର ଟଙ୍କା ମିଳିବ । ପୂର୍ବରୁ ଏହି ରାଶି ୧୦ ହଜାର ଟଙ୍କା ଥିଲା । ଅନ୍ୟପକ୍ଷେ ଅର୍ଥକାରୀ ଫସଲ କ୍ଷତି କ୍ଷେତ୍ରରେ ସହାୟତା ପରିମାଣ ୧୨ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବଢିଛି । ସେହିପରି ବାସଗୃହ କ୍ଷତି କ୍ଷେତ୍ରରେ ସହାୟତା ରାଶି ୧୦,୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳିଆ ଜନହିତକର ଯୋଜନା ପାଇଁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.